ଉପମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାନହାନୀ ମକଦ୍ଦମା ଦାଖଲ

ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ମାନହାନୀ ମକଦ୍ଦମା ଦାଖଲ ।

(ଆସାମ) : ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ମାନହାନୀ ମକଦ୍ଦମା ଦାଖଲ । ଆସାମ ମୁଖ୍ୟମନ୍ତ୍ରୀ ଡ. ହେମନ୍ତ ବିଶ୍ବ ସର୍ମାଙ୍କ ପତ୍ନୀ ରିଙ୍କି ଭୁୟାଁ ସର୍ମା ମଙ୍ଗଳବାର ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ମାନହାନୀ ମକଦ୍ଦମା ଦାଖଲ କରିଛନ୍ତି । ଗୌହାଟି କାମ୍ରୁପ ସିଭିଲ ଜଜଙ୍କ କୋର୍ଟରେ ମାନହାନୀ ମକଦ୍ଦମା ଦାୟର କରିଥିବାବେଳେ କ୍ଷତିପୂରଣ ପାଇଁ ୧୦୦ କୋଟି ଟଙ୍କା ଦାବି କରିଛନ୍ତି ସେ ।

 

ତେବେ ଆମ୍ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆ ଜୁନ୍ ୪ ରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ ୨୦୨୦ କରୋନା ମହାମାରୀ ସମୟରେ ଆସାମ ସରକାର ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ଏବଂ ପୁଅଙ୍କ କମ୍ପାନୀକୁ ବଜାରଠାରୁ ଅଧିକ ମୂଲ୍ୟରେ ପିପିଇ କିଟ୍ କିଣିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

 

ଆସାମର ମୁଖ୍ୟମନ୍ତ୍ରୀ ତାଙ୍କ ସ୍ପଷ୍ଟୀକରଣରେ କହିଛନ୍ତି ଯେ ଯେତେବେଳେ ୧୦୦ ବର୍ଷ ମଧ୍ୟରେ ସମଗ୍ର ଦେଶ ଭୟଙ୍କର ମହାମାରୀର ସମ୍ମୁଖୀନ ହୋଇଥିଲା, ସେତେବେଳେ ଆସାମ ପାଖରେ ବୋଧହୁଏ କିଛି ପିପିଇ କିଟ୍ ଥିଲା । ମୋ ପତ୍ନୀ ଆଗକୁ ଆସିବାକୁ ସାହସ ଦେଖାଇଲେ ଏବଂ ସରକାରଙ୍କୁ ୧୫୦୦ ପିପିଇ (PPE) କିଟ୍ ଦାନ କଲେ, ଆଉ ଏଥିପାଇଁ ସେ ଗୋଟିଏ ପଇସା ମଧ୍ୟ ନେଇ ନଥିଲେ ।

 

ଦିଲ୍ଲୀର ଉପମୁଖ୍ୟ ମନ୍ତ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କରି ସର୍ମା କହିଛନ୍ତି ଯେ ପିପିଏ କିଟ୍ ସରକାରଙ୍କୁ ଦାନ କରାଯାଇଛି ଏବଂ ତାଙ୍କ ପତ୍ନୀଙ୍କ କମ୍ପାନୀ ଏଥିପାଇଁ କୌଣସି ବିଲ୍ ନେଇ ନାହାଁନ୍ତି । କିନ୍ତୁ ଜେସିବି ଇଣ୍ଡଷ୍ଟ୍ରିଜ୍ ବିଲ୍କୁ ଟ୍ୟାଗ୍ କରି ସିସୋଦିଆ ଟ୍ୱିଟରରେ ଲେଖିଛନ୍ତି, ମାନ୍ୟବର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବ ସର୍ମା ଜୀ ଆପଣଙ୍କ ପତ୍ନୀ କିଟ୍ ପିଛା ୯୯୦ ଟଙ୍କା ମୂଲ୍ୟରେ ଜେସିବି ଇଣ୍ଡଷ୍ଟ୍ରିଜ୍ ନାମରେ ୫ ହଜାର କିଟ୍ ଅର୍ଡର ରଖିଛନ୍ତି । ମୋତେ କୁହନ୍ତୁ ଏହି କାଗଜଟି ନକଲି କି ? ସ୍ୱାସ୍ଥ୍ୟମନ୍ତ୍ରୀ ଭାବରେ ଆପଣଙ୍କ ପତ୍ନୀଙ୍କୁ ନିର୍ଦ୍ଦେଶ ଦେବା ଦୁର୍ନୀତି ନୁହେଁ କି ?