ତିର୍ତ୍ତୋଲ: ବିଧାୟକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ପ୍ରେମିକା । ବାହା ହେବାକୁ କହି ଆସିଲେନି ବିଧାୟକ। ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ନାଁରେ କିଛି ଏହିଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ତାଙ୍କ ପ୍ରେମିକା ସୋମାଲିକା। ବିବାହ ପାଇଁ କୋର୍ଟକୁ ଆସିବାକୁ କହି ବିଜୟ ଆସିନଥିବା ଅଭିଯୋଗ ହୋଇଛି।
ଗତ ପ୍ରାୟ ୭ ମାସ ଧରି ପ୍ରେମ ସମ୍ପର୍କରେ ରହିବା ତିର୍ତ୍ତୋଲ ବିଜେଡି ବିଧାୟକ ବିଜୟ ଶଙ୍କର ଦାସ ନିଜର ପ୍ରେମିକା ସୋମାଲିକା ଦାଶଙ୍କୁ ବିବାହ ନିମନ୍ତେ ରାଜି ହୋଇଥିଲେ । ଉଭୟ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ତିର୍ତ୍ତୋଲ ବିଧାୟକ ଶ୍ରୀ ଦାସ ଓ ତାଙ୍କ ପ୍ରେମିକା ସୋମାଲିକାଙ୍କୁ କୋର୍ଟ ମ୍ୟାରେଜ୍ ନିମନ୍ତେ ଜଗତସିଂହପୁରସ୍ଥିତ ସବରେଜିଷ୍ଟାର ଅଫିସରେ ବିଧିବଦ୍ଧ ଆବେଦନ କରିଥିଲେ ।
ଏହି ଆବେଦନ ପ୍ରକ୍ରିୟାର ପ୍ରାୟ ଏକ ମାସ ଧରି ରହିବ ଓ ମାସକ ପରେ ପୁଣି ଏହି ସବରେଜିśଷ୍ଟ୍ରାର ଅଫିସରେ ଉଭୟ ଆଇନଗତ ଭାବେ ବିବାହ କରିଥାନ୍ତେ ।ଆବେଦନର ମାସକ ପରେ ଆଜି କଥା ମୁତାବକ ସବରେଜିଷ୍ଟ୍ରୀ ଅଫିସ୍ରେ ପଞ୍ଜୀକରଣ ପାଇଁ ପହଞ୍ଚିଥିଲେ ପ୍ରେମିକା। ତେବେ ଦୀର୍ଘ ସମୟ ଅପେକ୍ଷା କଲା ପରେ ବି ବିଧାୟକ ଆସିନଥିଲେ। ବିଧାୟକ ନଆସିବାରୁ ବାଧ୍ୟ ହୋଇ ତାଙ୍କ ପ୍ରେମିକା ଫେରି ଯାଇଥିଲେ। ଏହି ଆଧାରରେ ବିଜୟ ଶଙ୍କର ପ୍ରତିଶ୍ରୁତି ଦେଇ ରଖିନଥିବା ତାଙ୍କ ପ୍ରେମିକା ଅଭିଯୋଗ କରିଛନ୍ତି।ବିଧାୟକଙ୍କୁ କେହି ଅପହରଣ କରିଥିବା କିମ୍ବା ସେ ଚିଟିଂ କରିଥିବା ସେ ଅଭିଯୋଗ ଆଣିଛନ୍ତି। ଏଥିସହ ସେ ଧମକ ଦେଇ କହିଛନ୍ତି, ବିଧାୟକଙ୍କ ନାଁରେ ପୂର୍ବରୁ ଦେଇଥିବା ମାମଲା ଚାଲୁ କରିବୁ।
ତେଣେ ପ୍ରେମିକାଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଧାୟକ ବିଜୟ ଶଙ୍କର। ସେ କହିଛନ୍ତି, ପଞ୍ଜୀକରଣ ଆବେଦନକୁ ଆଜିକୁ ମାତ୍ର ୩୦ ଦିନ ହେଲା। ଆବଦନର ୯୦ ଦିନ ମଧ୍ୟରେ ବିବାହ କରିବା କଥା। ଆହୁରି ୬୦ ଦିନ ବାକି ରହିଛି। ଏହାଛଡ଼ା ଆଜି ବିବାହ ପଞ୍ଜୀକରଣ ନେଇ ମୋତେ କେହି କିଛି ଜଣାଇନାହାନ୍ତି ବୋଲି ବିଜୟ କହିଛନ୍ତି।