ମାଡ଼ି ଆସୁଛି ବାତ୍ୟା: ସମ୍ଭାବ୍ୟ ବାତ୍ୟା ନେଇ ଆଇଏମଡି ଡିଜିଙ୍କ ସୂଚନା

ଭୁବନେଶ୍ୱର: ଓଡ଼ିଶା ଆଡ଼କୁ ମାଡ଼ି ଆସୁଛି ବାତ୍ୟା । ମେ ୬ ତାରିଖ ସୁଦ୍ଧା ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟକୁ ନେଇ ଏହି ଆଶଙ୍କା ଦେଖା ଦେଇଛି । ତେବେ ଏନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ଚିତ୍ର ଆସି ନାହିଁ । ତେବେ ସମ୍ଭାବ୍ୟ ବାତ୍ୟା ନେଇ ଆଜି ଆଇଏମଡି ଡିଜି ସୂଚନା ଦେଇଛନ୍ତି । ମେ’ ୬ ତାରିଖରେ ଦକ୍ଷିଣ ପୂର୍ବ ଆଣ୍ଡାମାନ ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ। ପରେ ଏହା ଅଧିକ ତୀବ୍ର ହେବ ବୋଲି କୁହାଯାଇଛି। ତେବେ ଲଘୁଚାପ ପରେ ଏନେଇ ଚିତ୍ର ସ୍ପଷ୍ଟ ହେବ ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।

ଅନ୍ୟପକ୍ଷେ ଖରାଦିନିଆ ସମ୍ଭାବ୍ୟ ବାତ୍ୟା ଆଶଙ୍କା, ଚିନ୍ତା ବଢ଼ାଇଛି । ଏବେ ପ୍ରାକୃତିକ ଦୁର୍ବିପାକର ସହଜ ଠିକଣା ପାଲଟିଛି ଓଡ଼ିଶା ପାଇଁ । ସମ୍ଭାବ୍ୟ ବାତ୍ୟାକୁ ନେଇ ଭିନ୍ନଭିନ୍ନ ଆକଳନ କରିଛନ୍ତି ବିଭିନ୍ନ ପାଣିପାଗ ସଂସ୍ଥା। ତେବେ ଆସନ୍ତା ୧୦ରୁ ୧୧ ତାରିଖବେଳକୁ ଉତ୍ତର ଆନ୍ଧ୍ର ଉପକୂଳ ଛୁଇଁବା ସମ୍ଭାବନା ଅଧିକ ରହିଛି। ଏହା କେତେ ତୀବ୍ର ହେବ ଓ କୁଆଡ଼େ ଗତି କରିବ ସେନେଇ ସ୍ପଷ୍ଟ ହୋଇନଥିବା ବେଳେ ବାତ୍ୟାକୁ ଏଡ଼ାଇ ଦିଆଯାଇପାରିବନି ବୋଲି କହିଛନ୍ତି ଆଇଏମ୍‌ଡି ଡିଜି ।

ସେହିଭଳି ୨୦୧୯ରେ ଓଡ଼ିଶାବାସୀ ପ୍ରଥମ ଥର ପାଇଁ ଗ୍ରୀଷ୍ମକାଳୀନ ବାତ୍ୟାର ସାମ୍ନା କରିଥିଲେ । ୨୦୧୯ ମେ’ ୩ରେ ଓଡ଼ିଶା ଉପକୂଳକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଥିଲା ପ୍ରଳୟଙ୍କାରୀ ଫୋନି । ସେହିଭଳି ୨୦୨୦ ମେ’ ମାସରେ ଅମ୍ପାନ ଏବଂ ୨୦୨୧ରେ ୟାସ୍‌ ବାତ୍ୟା ପ୍ରଳୟ ରଚିଥିଲା । ତେବେ ପୁଣି ଚଳିତ ବର୍ଷ ଗ୍ରୀଷ୍ମକାଳୀନ ବାତ୍ୟା ଓଡ଼ିଶାରେ କେତେ ଖୟକ୍ଷତି ରଚିବ ତାହା ପାଣିପାଗ ଆକଳନରୁ ସ୍ପଷ୍ଟ ହେବ ।