ଗଞ୍ଜାମ: ଅନ୍ଧ ବିଶ୍ୱାସର ଅନ୍ଧାରି ମୂଲକରେ ଏବେ ବି ଅନେକ ଗାଁ ରହିଛି । ଯେଉଁ ଗାଁରେ ଏବେ ବି ଦେଖିବାକୁ ମିଳୁଛି ଏମିତି କିଛି ଯାହା ବର୍ତ୍ତମାନର ଯୁଗରେ ଆପଣ କଳ୍ପନା ବି ସୁଦ୍ଧା କରିନଥିବେ । ଗଞ୍ଜାମଜିଲ୍ଲାରେ ଏବେ ପ୍ରତ୍ୟେକ ଗଳି କନ୍ଦିରେ ଚାଲିଛି ମା ଦାଣ୍ଡ କାଳୀଙ୍କ ଯାତ୍ରା । କିନ୍ତୁ ଆଧ୍ୟାତ୍ମିକତାର ପରିବେଶ ଭିତରେ ଦେଖିବାକୁ ମିଳିଛି ଏକ ଦୁଃଖଦ ଖବର । ଧରାକୋଟ ବାଖରକଟା ଗ୍ରାମରେ ଦଣ୍ଡଯାତ୍ରାର ଭୋଗ ଖାଇ ଡାଇରିଆ ବ୍ଯାପିବା ଘଟଣା ବଢିବାରେ ଲାଗିଛି ।

କିନ୍ତୁ ଏଠାରେ ରୋଗର ନିରାକରଣ ପନ୍ଥା ବାଛିବା ନିମନ୍ତେ ଗାଁ ଲୋକ ହୋଇଛନ୍ତି ସମ୍ପୂର୍ଣ୍ଣ ଅନ୍ଧ ବିଶ୍ୱାସର ଶିକାର । ଗାଁ ଲୋକେ ଡାଇରିଆ ବ୍ୟାପୁଥିବାର ଦେଖି ଡାଇରିଆ ମୁକ୍ତି ପାଇଁ ଗାଁ ଠାକୁରାଣୀଙ୍କ ପାଖକୁ ଯାଇ ଭୋଗ ଲଗାଇଛନ୍ତି । ଏହା ବ୍ୟତୀତ ଗ୍ରାମବାସୀ ଘଣ୍ଟ ଘଣ୍ଟା ବାଜା ଆଦି ବଜାଇ ଗାଁ ପରିକ୍ରମା କରି ମାଙ୍କ ନିକଟରେ ଭୋଗ ଲଗାଇଛନ୍ତି । ତେବେ ମଣିଷ ଆଜିର ଯୁଗରେ ଚନ୍ଦ୍ରରେ ପହଞ୍ଚିଥିବା ସମୟରେ ଏବେ ମଧ୍ୟ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ମଣିଷ ।