ଭୁବନେଶ୍ୱର: ଶେଷ ହୋଇଛି ନବୀନ ଓ ଜଗନ ମୋହନ ରେଡ୍ଡୀଙ୍କ ବୈଠକ । ଏହି ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୨ ରାଜ୍ୟ ଭିତରେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ଲୋକସେବା ଭବନରେ ଆଲୋଚନା ପରେ ମିଳିତ ପ୍ରେସ୍ ବିବୃତ୍ତି ଜାରି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୱାଇ.ଏସ୍ ଜଗନମୋହନ ରେଡ୍ଡୀ । କୋଟିଆ ସୀମା ବିବାଦ, ନେରାଡ଼ି ବ୍ୟାରେଜ୍ ,ଝଞ୍ଜାବତୀ ଡ୍ୟାମ୍, ଝଞ୍ଜାବତୀ ଡ୍ୟାମ୍ ,ପୋଲାଭରମ, ବାହୁଡ଼ା ନଦୀରୁ ଜଳ ଛାଡ଼ିବା, ବାଲିମେଳା ଓ ଅପର ସିଲେରୁରେ ବିଦ୍ୟୁତ୍ ପ୍ରକଳ୍ପ ପ୍ରସଙ୍ଗରେ ଆଲୋଚନା ହୋଇଛି । ୬ଟି ମୁଖ୍ୟ ବିବାଦର ସମାଧାନ ନେଇ ଦୁଇ ରାଜ୍ୟ ମିଳିତ ଭାବେ କାମ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ନକ୍ସଲ ଓ ଗଞ୍ଜେଇ ଚାଷର ମୂଳୋତ୍ପଟାନ ଲାଗି ଦୁଇ ରାଜ୍ୟ ପରସ୍ପରକୁ ସହଯୋଗର ହାତ ବଢ଼ାଇବେ ବୋଲି ନିଷ୍ପତ୍ତି ହୋଇଛି । ଶ୍ରୀକାକୁଲମ ସ୍ଥିତ ବି.ଆର୍. ଆମ୍ବେଦକର ବିଶ୍ୱବିଦ୍ୟାଳୟ ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଓ ତେଲୁଗୁ ଚେୟାର ପ୍ରତିଷ୍ଠା ନେଇ ଉଭୟ ରାଜ୍ୟ ସରକାର କାମ କରିବେ । ସେହିଭଳି ଦୁଇ ରାଜ୍ୟର ସୀମାନ୍ତ ଜିଲ୍ଲାରେ ଭାଇଚାରାକୁ ବଢ଼ାଇ ଉଭୟ ରାଜ୍ୟରେ ପ୍ରଚଳିତ ଭାଷାର ଶିକ୍ଷକ ନିଯୁକ୍ତି ସହ ବହି ଯୋଗାଣ, ପରୀକ୍ଷା ଉପରେ ଗୁରୁତ୍ୱାରୋପ କରାଯାଇଛି ।
ସଂଘୀୟ ବ୍ୟବସ୍ଥାକୁ ସମ୍ମାନ ଦେଇ ଦୁଇ ରାଜ୍ୟ ଏକାଠି ବୁଝାମଣାର ସହ କାମ କରିବେ । ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ମୁଖ୍ୟ ଶାସନ ସଚିବ ୨ ରାଜ୍ୟ ମଧ୍ୟରେ ଥିବା ବିଭିନ୍ନ ବିବାଦର ସମାଧାନ ପାଇଁ ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ଉଚ୍ଚସ୍ତରୀୟ କମିଟି କରାଯିବ ।
ଆଜି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲେ । ବିମାନବନ୍ଦରରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଓଡିଶା ସରକାରଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି । ଦୁଇ ନେତା ୪୫ ମିନିଟ ଧରି ବିଭିନ୍ନ ପ୍ରସଙ୍ଗରେ କଥା ହୋଇଛନ୍ତି । ପରେ ସଂନ୍ଧ୍ୟା ୭ଟାରେ ଭୁବନେଶ୍ୱର ବିିମାନବନ୍ଦରକୁ ଯାଇ ଆନ୍ଧ୍ର ଫେରିଯିବେ ମୁଖ୍ୟମନ୍ତ୍ରୀ ।