ପ୍ରଶାସନ ବିରୁଦ୍ଧରେ ଗ୍ରାମବାସୀଙ୍କ ଧାରଣା

ପାରାଦ୍ୱୀପ (ପ୍ରଶାନ୍ତ କୁମାର ସ୍ଵାଇଁ): ରନ୍ଧା ଖାଦ୍ୟ ଓ ପାଣି ନିଷ୍କାସନ ଦାବି ରେ କୁଜଙ୍ଗ ବ୍ଲକ କାର୍ୟ୍ୟାଳୟରେ ଧାରଣା ଦେଇଛନ୍ତି ତିନୋଟି ପଞ୍ଚାୟତର ବାସିନ୍ଦା । ଗତ ଲଘୁଚାପ ଜନିତ ଲଗାଣ ବର୍ଷାରେ କୁଜଙ୍ଗ ବ୍ଲକର ଗଣ୍ଡକିପୁର , କାଳିଆପାଟ୍ଟ ଓ ମଙ୍ଗରାଜପୁର ପଞ୍ଚାୟତର କିଛି ଗ୍ରାମ ଏବେବି ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ଜଳ ନିଷ୍କାସନ ହୋଇପାରୁ ନଥିବା ବେଳେ କେତେକ ଘରର ମାଟି କାନ୍ଥ ଭୁଶୁଡି ପଡିଥିବା ସେମାନେ ଅଭିଯୋଗ କରିଛନ୍ତି । ମାତ୍ର ପ୍ରଶାସନ ଏ ପର୍ୟ୍ୟନ୍ତ ସେଠାରେ ସଠିକ ଭାବେ ପହଞ୍ଚି ପାରିନାହିଁ । ଗୋଟିଏ ଥର ରନ୍ଧା ଖାଦ୍ୟ ଯୋଗାଇ ଦେଉଥିବା ବେଳେ ଛୋଟ ଛୋଟ ପିଲା ଓ ବୟସ୍କ ବ୍ୟକ୍ତି ମାନେ ଉପାସ ରେ ରହୁଛନ୍ତି । ତେବେ ସ୍ଥାନୀୟ ସରପଞ୍ଚ ଓ ବ୍ଲକ୍ ପ୍ରଶାସନ ଘଟଣାସ୍ଥଳ ପରିଦର୍ଶନ କରିଥିଲେ ମଧ୍ୟ ଜଳ ନିଷ୍କାସନର ବ୍ୟବସ୍ଥା ପ୍ରଶାସନ ପକ୍ଷରୁ ଏ ନେଇ କୌଣସି ପଦକ୍ଷେପ ନିଆଯାଇ ନାହିଁ । ଯାହାକୁ ବିରୋଧ କରି ଉଭୟ ପଞ୍ଚାୟତର ଶତାଧିକ ମହିଳା, ପୁରୁଷ ଓ ଛୋଟ ଶିଶୁଙ୍କୁ ଧରି ବ୍ଲକ କାର୍ୟ୍ୟାଳୟରେ ଧାରଣା ଦେଇଛନ୍ତି । ମୁଖ୍ୟତଃ ମାଛ ଧରିବା ପାଇଁ ନଦୀ ବନ୍ଧ ଗୁଡିକରେ ଆଡ଼ିବନ୍ଧ ନିର୍ମାଣ କରାଯାଇଥିବାରୁ ପାଣି ନିଷ୍କାସନ ରେ ସମସ୍ୟା ହେଉଥିବା ବେଳେ ପାରାଦ୍ଵୀପ ଗଡ଼ ନିକଟରେ ହଳଦୀପାଣି ନଦୀର ମୁହଁ ଖୋଲିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।