ଫସିଗଲେ ଡୁପ୍ଲିକେଟ ମ୍ୟାଡମ

ଉଦଳା(ରିପୋର୍ଟର୍ସ ଟୁଡେ): ପାଖରେ ନାହିଁ ଅସଲି ସାର୍ଟଫିକେଟ, ତଥାପି ୧୩ ବର୍ଷ ଧରି କରିଛନ୍ତି ଅଧ୍ୟାପିକା ଚାକିରି । ଉଚ୍ଚ ଶିକ୍ଷା ବିଭାଗକୁ ଭୁଆଁ ବୁଲାଇ ଚାଲିଥଲେ ଏହି ମହିଳା । ତେବେ ସବୁ ଖେଳର ଘଟିଛି ଅନ୍ତ । ଜାଲ ସାର୍ଟଫିକେଟ କାର୍ଣ୍ଣାମା ଧରା ପଡିବା ପରେ ଗିରଫ ହୋଇଛନ୍ତି ମ୍ୟାଡମ । ଉଚ୍ଚ ଶିକ୍ଷା ବିଭାଗର ଭେରିଫିକେସନରେ ଅଧ୍ୟାପିକାଙ୍କ ଜାଲିଆତିର ପର୍ଦ୍ଦାଫାଶ ହୋଇଛି ।
ଖୁଣ୍ଟା ଡିଗ୍ରୀ କଲେଜରେ ଜାଲ ସାର୍ଟଫିକେଟ ଦେଇ ୨୦୦୭ ମସିହାରୁ ଇଂରାଜି ଅଧ୍ୟପିକା ଭାବରେ କାର୍ଯ୍ୟ କରୁଥିଲେ ଅଭିପ୍ସା ପଟ୍ଟନାୟକ । ତେବେ ଉଚ୍ଚ ଶିକ୍ଷା ବିଭାଗର ତଦନ୍ତ ପରେ ତାଙ୍କ କଳା କାର୍ଣ୍ଣାମାର ପର୍ଦ୍ଦଫାଶ ହୋଇଛି । ତେବେ ଏହାପରେ ତାଙ୍କୁ ବହିଷ୍କାର କରାଯିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ନିର୍ଦ୍ଦେଶ ଦେଇଛନ୍ତି କଲେଜ କମିଟିର ସଭାପତି ତଥା ଉପ ଜିଲ୍ଲାପାଳ ଭଗବାନ ବେହେରା । ଏ ନେଇ ସେ କଲେଜର ପ୍ରିନ୍ସପାଲଙ୍କୁ ଏକ ଚିଠି ଦେଇଥିଲେ । ଏହାପରେ ଜାଲ ଅଧ୍ୟାପିକାଙ୍କୁ ଚାକିରୀରୁ ବହିଷ୍କାର କରିବା ପରେ ତାଙ୍କ ନାଁରେ ଏକ ମାମଲା ରୁଜୁ କରାଯାଇଥିଲା । ଅଭିପ୍ସାଙ୍କ ବିରୋଧରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ପୂର୍ବରୁ ଏହାର ଗନ୍ଧ ବାରି ପାରି ନିଜ ତରଫରୁ ଇସ୍ତଫା ଦେଇ ଚମ୍ପଟ ମାରିଛନ୍ତି ଏହି ଡୁପ୍ଲିକେଟ ମ୍ୟାଡମ ।