ଭୁବନେଶ୍ୱର (ରିପୋର୍ଟର୍ସ ଟୁଡେ): କୋରୋନା ମହାମାରୀରେ ରାଜ୍ୟର ସମସ୍ତ କଳାକାରଙ୍କ ଜୀବିକା ଖୁବ ପ୍ରଭାବିତ ହୋଇଛି । ଏବେ ଲକଡାଉନ ଏବଂ ସଟଡାଉନରେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛୋଟ ଛୋଟ କାରିଗର । ସେହିପରି ପୁରୀ ଜିଲ୍ଲା ଅନ୍ତର୍ଗତ ରଘୁରାଜପୁରର ଶିଳ୍ପୀମାନେ ମଧ୍ୟ ଆର୍ଥିକ ଅଭାବର ଶିକାର ହୋଇଥିଲେ । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ସାରା ବିଶ୍ୱରେ ଫଟୋଚିତ୍ର ପାଇଁ ପ୍ରସିଦ୍ଧିଲାଭ କରିଥିବା ଏହି ଗାଁର କାରିଗରମାନେ । ତେବେ ଏତେ ଦିନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ଦୁଃଖ ଶୁଣିଛନ୍ତି ଏବଂ ପ୍ରତ୍ୟେକ ପରିବାରକୁ ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି । ଭିଡିଓ କନଫରେନ୍ସିଂ ମାଧ୍ୟମରେ କାରିଗରଙ୍କ ପରିବାରକୁ ଅର୍ଥରାଶି ପ୍ରଦାନ କରିବା ସହ ରଘୁରାଜପୁରକୁ ଓଡିଶାର ଗର୍ବ ଏବଂ ଗୌରବ ବୋଲି ଆଖ୍ୟା ଦେଇଥିଲେ ମୁଖ୍ୟମନ୍ତ୍ରୀ ।
କୋରୋନା କାଳରେ ଏହି ପରିବାରମାନଙ୍କୁ ସାହାଯ୍ୟ କରିବା ପାଇଁ ଜୁନ ୮ରୁ ୧୬ ତାରିଖ ପର୍ଯ୍ୟନ୍ତ ଉଧ୍ୟମ ଆରମ୍ଭ ହୋଇଥିଲା । ଏହି ଗାଁର ମୋଟ ୧୫୦ ପରିବାର ଘର କାନ୍ଥରେ ୫୦ ବର୍ଗଫୁଟର ପାରମ୍ପରିକ ଚିତ୍ର ଆଙ୍କିଥିଲେ । ତେବେ ଏହି କଳାକୃତି ପାଇଁ ପ୍ରତି ପରିବାରକୁ ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି ।
ପାରମ୍ପରିକ ପଟ୍ଟଚିତ୍ର ଶିବିର ସପ୍ତରଙ୍ଗର ଅନ୍ତିମ ଦିବସରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ କଳାକାରମାନଙ୍କୁ ପ୍ରୋତ୍ସାହନ କରିଥିବା ବେଳେ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ବ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏବଂ ରଘୁରାଜପୁର ଗ୍ରାମ କମିଟି ସଭାପତି ଲିଙ୍ଗରାଜ ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ ।