ଭୁଲିଗଲେ ସାମାଜିକ ଦୂରତା, କାହାରି ମୁହଁରେ ନଥିଲା ମାସ୍କ

ଟ୍ୟାଙ୍କରରୁ ପାଣି ଭରିବାକୁ ନେଇ ପ୍ରତିଯୋଗିତା

ନୂଆଦିଲ୍ଲୀ୧୨/୬ : କରୋନାକୁ ରୋକିବା ପାଇଁ ଦୁଇଟି ପ୍ରଭାବଶାଳୀ ଉପାୟ ହେଉଛି ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା । କିନ୍ତୁ ଯେତେବେଳେ ଜୀବନର ସଂଗ୍ରାମ କଥା ଆସେ, ସେତେବେଳେ କରୋନାରୁ ରକ୍ଷା କରିବା ପାଇଁ ନିର୍ଦ୍ଦେଶଗୁଡ଼ିକ ଲୋକେ ପଛରେ ପକାଇଦିଅନ୍ତି । ବା ନିର୍ଦ୍ଦେଶକୁ ଆଖିଠାର ମାରିବା ଭଳି ବେଖାତିର କରିଦିଅନ୍ତି ।

ରାଜଧାନୀ ଦିଲ୍ଲୀରେ କରୋନାର ଦ୍ୱିତୀୟ ଲହର ପ୍ରକୋପ ସାମନ୍ୟ ଥମିଛି କି ନାହିଁ ଲୋକଙ୍କ ମଧ୍ୟରେ କରୋନାକୁ ନେଇ ଆଉ ଡର ଭୟ ନାହିଁ । ସଂକ୍ରମଣର କୋପ କମିଛି ସିନା ହେଲେ ଏଠାକାର ଲୋକଙ୍କ ହାବଭାବ ଦେଖିଲେ ଲାଗୁଛି ପୁଣିଥରେ ମହାମାରୀ ବ୍ୟାପିବ ଏଥିରେ ସନ୍ଦେହ ନାହିଁ । ଆମେ ଏଥିପାଇଁ ଏହା କହୁଛୁ କାରଣ ପାଣି ପାଇଁ ରାଜଧାନୀ ବାସୀ ଏକାଠି ହେବା ସହ ପ୍ରତିଯୋଗିତା କରିବାକୁ ପଛାଉ ନାହାଁନ୍ତି ।

ଅବଶ୍ୟ ଏବେ ରାଜଧାନୀରେ ଜଳ ସଂକଟ ଦେଖାଦେଇଛି । ସେଥାପାଇଁ ଲୋକେ ପାଣି ଟ୍ୟାଙ୍କରରୁ ପାଣି ଆଣିବା ପାଇଁ ଭୁଲିଯାଇଛନ୍ତି କରୋନା କଟକଣା । ନାଁ ଥିଲା କାହାରି ମୁହଁରେ ମାସ୍କ, ନାଁ ଥିଲା ସାମାଜିକ ଦୂରତା । ଦିଲ୍ଲୀ ଚାଣକ୍ୟପୁରୀର ଏହି ଦୃଶ୍ୟ ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଦେଇଛି । ଏଠାରେ ଦୂତାବାସ ସବୁ ରହିଛି। ଏହାସହ ଏଠାରେ ଭିଭିଆଇପି ବାସ କରନ୍ତି । ସେଠାରେ ବି କିଛି ଲୋକ ଅଛନ୍ତି ଯେଉଁମାନେ ପାଣି ବୁନ୍ଦାଏ ପାଇଁ ରୀତିମତ ସଂଘର୍ଷ କରୁଛନ୍ତି ।