ବଲାଙ୍ଗୀର(ରିପୋର୍ଟର୍ସ ଟୁଡେ): କୋରୋନା ମହାମାରୀ ରାଜ୍ୟରେ ମୃତ୍ୟୁର ତାଣ୍ଡବ ରଚିଥିବା ବେଳେ ହଜାର ହଜାର କୋରୋନା ଯୋଦ୍ଧା ଏହାର ଶିକାର ହୋଇଛନ୍ତି। ପୁଣି ଆଜି ଆଉ ଜଣେ କୋରୋନା ଯୋଦ୍ଧାଙ୍କ ଜୀବନ ନେଇଛି କୋରୋନା ଭୂତାଣୁ। ବଲାଙ୍ଗୀର ଜିଲ୍ଲା ପୋଲିସର ବରିଷ୍ଠ ଅଧିକାରୀ ଶେଷଦେବ ବରିହା କୋରୋନାରେ ମୃତ୍ୟୁବରଣ କରିଛନ୍ତି। ପାଟଣାଗଡ଼ର ପୂର୍ବତନ ଡିଏସପି ତଥା ବଲାଙ୍ଗୀର ଏସପି ଅଫିସରେ ଏଚଆରପିସିର ଡିଏସପି ଭାବେ କାର୍ଯ୍ୟରତ ଶେଷଦେବ ଆଜି କୋରୋନା ଯୁଦ୍ଧରେ ହାରି ଯାଇଛନ୍ତି।
କୋରୋନାରେ ଆକ୍ରାନ୍ତ ହୋଇ ପ୍ରଥମେ ସ୍ଥାନୀୟ ଭୀମଭୋଇ ହସ୍ପିଟାଲ ଏବଂ ପରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଶେଷଦେବ। ତେବେ ଚିକିତ୍ସାରତ ଅବସ୍ଥାରେ ସେ ଗତକାଲି ପ୍ରାଣ ହରାଇଥିବା ଜଣାପଡ଼ିଛି। ବଲାଙ୍ଗିରରେ ଗତକାଲି ତାଙ୍କ ମରଶରୀର ପହଞ୍ଚିବା ପରେ ଆଜି ସକାଳେ ଜିଲ୍ଲା ଏବଂ ପୋଲିସ ପ୍ରଶାସନ ତାଙ୍କୁ ଶେଷ ବିଦାୟ ଦେଇଛନ୍ତି। ତାଙ୍କ ଅନ୍ତିମ ସଂସ୍କାର ସମୟରେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣା, ବଲାଙ୍ଗୀର ଦାୟିତ୍ଵରେ ଥିବା ବରଗଡ଼ ଏସପି ପଦ୍ମିନୀ ସାହୁଙ୍କ ସମେତ ଅନ୍ୟାନ୍ୟ ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ। ଶେଷଦେବ ବିୟୋଗରେ ସାରା ଜିଲ୍ଲାରେ ଖେଳିଯାଇଛି ଶୋକର ଛାୟା।