ଅନୁଗୁଳରେ ଦୁର୍ଗା ପୂଜା ଓ ଲକ୍ଷ୍ମୀ ପୂଜାର ପ୍ରସ୍ତୁତ ବୈଠକ

(ଜଗନ୍ନାଥ ଅଗ୍ରୱଲ) : ଅନୁଗୁଳରେ ହେବାକୁ ଯାଉଥିବା ଆଗାମୀ ଦୁର୍ଗା ପୂଜା ଓ ଲକ୍ଷ୍ମୀ ପୂଜାର ବୈଠକ ଗୁରୁବାର ଦିନ ଅପରାହ୍ନ ୪ ଘଟିକା ସମୟରେ ଅନୁଗୁଳ ଜିଲ୍ଲା ପ୍ରଶାସନ ଓ ପୂଜା କମିଟି ମଧ୍ୟରେ ଅନୁଗୁଳ ଜିଲ୍ଲା ପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବାର ଥିଲା ।

ଏଥିରେ କେନ୍ଦ୍ରୀୟ ପୂଜା କମିଟିର ସଭାପତି, ସମ୍ପାଦକଙ୍କ ସମେତ ୪୦ ଟି ପୂଜା ମଣ୍ଡପର ସଦସ୍ୟମାନେ ଭାଗ ନେଇଥିଲେ । ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ , ଉପଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଳାର ବିଭିନ୍ନ ଉଚ୍ଚ ପଦାଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ । ତେବେ ଅନୁଗୁଳ ଜିଲ୍ଲାପାଳ ବୈଠକରେ ଅନୁପସ୍ଥିତ ଥିଲେ। ଜିଲ୍ଲାପାଳଙ୍କ ଅନୁପସ୍ଥିତିକୁ ନେଇ କେନ୍ଦ୍ରୀୟ ପୂଜା କମିଟିର ସଭାପତି, ସମ୍ପାଦକ ଓ ସମସ୍ତ ପୂଜା କମିଟିର ସଦସ୍ୟମାନେ ବୈଠକକୁ ବର୍ଜନ କରିଥିଲେ । ବୈଠକରୁ ଉଠି ଯାଇଥିବା ସମସ୍ତ କମିଟିର ସଦସ୍ୟଙ୍କୁ ଉପ ଜିଲ୍ଲାପାଳ ଯେତେ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ଶୁଣି ନ ଥିଲେ । ତେବେ ଏହାକୁ ନେଇ ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ଯେ ଗୃହ ସଚିବ ଶୁକ୍ରବାର ଅନୁଗୁଳ ଗସ୍ତରେ ଆସୁଥିବାରୁ ତାଙ୍କୁ ସାକ୍ଷାତ କରିବାକୁ ଜିଲ୍ଲାପାଳ ଭୁବନେଶ୍ୱର ଯାଇଛନ୍ତି । ଏହା ପରେ କେନ୍ଦ୍ରୀୟ ପୂଜା କମିଟିର ସଦସ୍ୟମାନେ କହିଥିଲେ ଯେ ପୁନର୍ବାର ଜିଲ୍ଲାପାଳ ଉପସ୍ଥିତ ରହିଲେ ବୈଠକ ହବ ।

ଦୁର୍ଗା ପୂଜା ଓ ଲଷ୍ମୀ ପୂଜା ହଉଚି ଅନୁଗୁଳର ପ୍ରମୁଖ ପୂଜା । ଏହାକୁ ଦେଖିବା ପାଇଁ ପ୍ରବଳ ଜନସମାଗମ ହୋଇଥାଏ । ତେବେ ଏହାକୁ ଆଖି ଆଗରେ ରଖି ପ୍ରଶାସନ ପୂର୍ବରୁ ପ୍ରସ୍ତୁତ ବୈଠକ କରି ସହରରେ ଥିବା ବିଭିନ୍ନ ସମସ୍ୟାର ସମାଧାନ ନ କଲେ ପୂଜା ସମୟରେ ଏହାର ପ୍ରଭାବ ପଡିବ । ଏଭଳି ପରିସ୍ଥିତିରେ ଜିଲ୍ଲାପାଳ ବୈଠକକୁ ନ ଆସିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି ।