(ମମତା ସାମଲ): ବିନା ବିରୋଧୀରେ ବିଧାନସଭାରେ ପାସ୍ ହେଲା ବିଲ୍ । ଚଳିତ ବିଧାନସଭାର ମୌସୁମୀ ଅଧିବେଶନରେ ଆଜି ସରକାର ୭ଟି ବିଲ୍ ପାସ୍ କରିଛନ୍ତି । ମାତ୍ର ୨ ଘଂଟା ୧୫ ମିନିଟ୍ ଭିତରେ ଗୃହରେ ସମସ୍ତ ବିଲ୍ ପାରିତ ହୋଇଛି ।
ଆଜି ବିଧାନସଭାରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ତାତି ଲାଗି ରହିଥିଲା । ଏହା ପରେ ମଧ୍ୟ ୭ ଟି ବିଲ୍ ପାରିତ ହୋଇଛି । ପାରିତ ବିଲ୍ ମଧ୍ୟରେ ଓଡିଶା ସମବାୟ ସମିତି ସଂଶୋଧନ ବିଲ୍, ଭାଟ୍ ସଂଶୋଧନ ବିଲ୍, ଓଡିଶା ଦ୍ରବ୍ୟ ଏବଂ ସେବାକର ବିଲ ରହିଛି । ଆହୁରି ମଧ୍ୟ ବିହାର ଓଡିଶା ତୀର୍ଥସ୍ଥାନ, ଓଡିଶା ହିନ୍ଦୁ ଦେବୋତର ସଂଶୋଧନ ବିଲ୍, ଗାନ୍ଧି ଯାନ୍ତ୍ରୀକ ଓ ପ୍ରଯୁକ୍ତିବିଦ୍ୟା ଅନୁଷ୍ଠାନ ବିଶ୍ୱବିଦ୍ୟାଳୟ ବିଲ୍, ଓଡିଶା ସରକାରୀ ଭାଷା ୨ୟ ସଂଶୋଧନ ବିଲ୍ ମଧ୍ୟ ପାସ୍ ହୋଇଛି । ଏହି ବିଲ୍ ପାସ୍ ହେବା ସମୟରେ ସମସ୍ତ ବିରୋଧୀ ବିଧାୟକ ଗୃହତ୍ୟାଗ କରିଥିଲେ । ବିନା ବିରୋଧୀରେ ଆଜି ଗୃହରେ ଏସବୁକୁ ପାରିତ କରାଯାଇଛି । ଏହା ସହ ଆସନ୍ତାକାଲି ଯାଏଁ ଗୃହକୁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ।