ତେଜିଲା ହେଲିକପ୍ଟର ବିବାଦ , ଧାରଣାରେ ବସିଲେ ବିଜେଡି ବିଧାୟକ

( ଗୋବିନ୍ଦ ଚନ୍ଦ୍ର ପଣ୍ଡା): ଆଜି ବି ଚାଲିପାରିଲାନି ବିଧାନସଭା । ଉଭୟ ଶାସକ ଓ ବିରୋଧୀ ଦଳ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ପ୍ରଶ୍ନକାଳ ଚାଲିପାରିନାହିଁ । । ଶ୍ରୀମନ୍ଦିର ଉପରେ ହେଲିକପ୍ଟର ଉଡିବା ଘଟଣାକୁ ନେଇ ବିଜେଡି ସଦସ୍ୟମାନେ ଗୃହରେ ହଟ୍ଟଗୋଳ କରିଥିଲେ । ଚାରା ଦୁର୍ନୀତିକୁ ନେଇ ବିରୋଧୀ ସଦସ୍ୟ ଗୃହ ମଧ୍ୟଭାଗକୁ ଆସି ହୋହଲ୍ଲା କରିବା ଫଳରେ ଗୃହ ଚାଲିପାରନଥିଲା । ଫଳରେ ବାଚସ୍ପତି ଗୃହକୁ ୧୧.୩୦ ଯାଏଁ ମୁଲତବୀ ଘୋଷଣା କରିଥିଲେ । ଏହା ପରେ ବିଧାନସଭା ପରିସରରେ ଥିବା ଗାନ୍ଧି ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ । ବୈଜୟନ୍ତ ପଣ୍ଡା ଓ ଅଭିଜିତ୍‌ ଆୟରଙ୍କ ଗିରଫ ଦାବି କରିଥିଲେ ।

ବୈଜୟନ୍ତ ପଣ୍ଡା ପରିବେଶ ଉଲଂଘନ କରିଥିବାବେଳେ, ଅଭିଜିତ୍‌ ଆୟାର ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ସଂପର୍କରେ ଅରୁଚିକର ମନ୍ତବ୍ୟ ଦେଇ କୋଟି କୋଟି ଓଡ଼ିଆଙ୍କୁ ମାନସିକ ଆଘାତ ଦେଇଥିବା ବିଜେଡି ଅଭିଯୋଗ କରିଛି । ସେହିପରି ଗୃହରେ ଚାରା ଘୋଟାଲା ନେଇ ବିଜେପି ହଟ୍ଟଗୋଳ କରିଥିବା ବେଳେ କଂଗ୍ରେସ ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ଉଠାଇଥିଲେ ।