କଟକ: କରୋନା କଟକଣା ମଧ୍ୟରେ ଚଳିତ ବର୍ଷ ମା’ ଦୁର୍ଗାଙ୍କ ମୂର୍ତ୍ତିର ଉଚ୍ଚତାକୁ ନେଇ ଚାଲିଥିବା ବିବାଦରେ ଆଜି ହାଇକୋର୍ଟ ରାୟ ଶୁଣାଇଛନ୍ତି । ହାଇକୋର୍ଟ ମୋଟ ୯ଟି ପୂଜା କମିଟିକୁ ଅନୁମତି ଦେଇଛନ୍ତି । ଆଡଭୋକେଟ ଜେନେରାଲଙ୍କ ରିପୋର୍ଟ ଆଧାରରେ ହାଇକୋର୍ଟ ଏହି ଅନୁମତି ଦେଇଛନ୍ତି । ତେବେ ଏଥିନେଇ ୨ଟି ସର୍ତ୍ତ ମଧ୍ୟ ରଖିଛନ୍ତି। ପ୍ରଥମତଃ ମୂର୍ତ୍ତି ଉଚ୍ଚତାକୁ ଅନୁମତି ମିଳିଥିଲେ ବି ବିସର୍ଜନ ପ୍ରଶାସନ ହିଁ କରିବ। ଅପରପକ୍ଷେ ଏହି ଅନୁମତିକୁ ଉଦାହରଣ ଭାବେ ଗ୍ରହଣ କରାଯାଇପାରିବନି ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।
ମୂର୍ତ୍ତି ଉଚ୍ଚତାକୁ ନେଇ ବିବାଦ ହାଇକୋର୍ଟରେ ପହଞ୍ଚିଥିଲା । ଏହି ମାମଲାରେ ନିଷ୍ପତ୍ତି ନେବାକୁ ହାଇକୋର୍ଟ ପୁଲିସ କମିଶନରଙ୍କୁ ସେପ୍ଟେମ୍ବର ୧୬ ତାରିଖରେ ନିର୍ଦ୍ଦେଶ ଦେଇଥିଲେ । ମୂର୍ତ୍ତି ଗୁଡିକର ଉଚ୍ଚତା ଯାଞ୍ଚ କରି ୪ ଫୁଟ୍ ମଧ୍ୟରେ ସୀମିତ ରଖିବାକୁ ପୁଲିସ କମିଶନର ଗତ ୧୭ ତାରିଖରେ ନିର୍ଦ୍ଦେଶାନାମା ଜାରି କରିଥିଲେ। ମଣ୍ଡପରେ ୪ ଫୁଟରୁ ଊର୍ଦ୍ଧ୍ୱର ମୂର୍ତ୍ତି ନିର୍ମାଣ ଆରମ୍ଭ ହୋଇସାରିଥିବାରୁ କମିଶନରଙ୍କ ନିର୍ଦ୍ଦେଶନାମା ପାଳନ କରିବା ସମ୍ଭବପର ନଥିବା ଦର୍ଶାଇ ପୂଜା କମିଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଶେଷରେ ୯ଟି କମିଟିକୁ ଅଧିକ ଉଚ୍ଚ ମୂର୍ତ୍ତି ନିର୍ମାଣ ପାଇଁ ଅନୁମତି ମିଳିଛି।