ଗୋଟିଏ ଦିନରେ ଗଲା ୪ ଜୀବନ: ସାପ କାମୁଡ଼ାରେ ୨ ଓ ପୋଖରୀରେ ବୁଡ଼ି ୨ ମୃତ

(ସୂର୍ୟ୍ୟକାନ୍ତ ବେହେରା / ମାଲକାନଗିରି) : ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଳକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୋଟିଏ ଦିନରେ ୪ ପ୍ରାଣ ହରାଇଛନ୍ତି । ୨ ଜଣ ସାପ କାମୁଡ଼ାରେ ଓ ୨ ଜଣ ଶିଶୁ ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ଥିବାବେଳେ ଅନ୍ୟ ତିନି ଜଣ ହେଉଛନ୍ତି ଶିଶୁ । ସୂଚନା ଅନୁଯାୟୀ, ଗୁରୁବାର ରାତିରେ ମାଟେରୁ ଗ୍ରାମର ଇର୍ମା ମାଡକାମୀଙ୍କ ସ୍ତ୍ରୀ ଭିମେ ମାଡକାମୀ ଓ ତାଙ୍କ ପୁତୁରା ଆକାଶ କୁରାମୀ ନିଜ ଚାଷ ଜମିରେ ଥିବା ଅସ୍ଥାୟୀ ଘରେ ଶୋଇଥିଲେ । ବିଳମ୍ବିତ ରାତିରେ ଏକ ବିଷଧର ସାପ ସେମାନଙ୍କୁ କାମୁଡ଼ି ଦେଇଥିଲା । ତୁରନ୍ତ ଉଭୟଙ୍କୁ ପଡ଼ିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ହୋଇଥିଲା । ଏନେଇ ପଡ଼ିଆ ଥାନାକୁ ସୂଚନା ଦିଆଯିବା ପରେ ପୋଲିସ ଦୁଇଟି ପୃଥକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ବ୍ୟବସ୍ଥା କରିଥିଲା ।ସେହିଭଳି ପଡ଼ିଆ ବ୍ଲକ ନିଲିଗୁଡ଼ା ପଞ୍ଚାୟତର କମାରଗୁଡ଼ା ଗ୍ରାମର ଦେବା ମାଡକାମୀଙ୍କ ୩ ବର୍ଷର ଝିଅ ଅନିତା ମାଡକାମୀ ଓ ପଡ଼ୋଶୀ ଘର ପୁଅ ଆୟୁଷ କବାସୀ ପୋଖରୀ ବଡ଼ି ମୃତ୍ୟୁବରଣ କରିଛନ୍ତି । ଉଭୟେ ଘର ନିକଟରେ ଖେଲୁଥିବାବେଳେ ପ୍ରାୟ ୫୦ ମିଟର ଦୂରରେ ଥିବା ପୋଖରୀରେ ବୁଡ଼ି ଯାଇଥିଲେ । କିଛି ସମୟ ଧରି ପରିବାର ଲୋକ ଖୋଜାଖୋଜି କରିବା ପରେ ଉଭୟଙ୍କୁ ଗାଆଁ ପୋଖରୀରୁ ଉଦ୍ଧାର କରି ପଡ଼ିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ତେବେ ସେଠାରେ ଡ଼ାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ପଡ଼ିଆ ଥାନାରେ ସୂଚନା ଦିଆଯିବା ପରେ ପୋଲିସ ଦୁଇଟି ପୃଥକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା । ପରେ କାଲିମେଳାରେ ଉଭୟଙ୍କ ଶବ ବ୍ୟବଛେଦ କରାଇ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ନେଇ ପଡ଼ିଆ ଥାନା ଅଧିକାରୀ ପ୍ରଶାନ୍ତ କୁମାର ନିଶିକା କହିଛନ୍ତି । ସେପଟେ ଉଭୟ ଘଟଣାର ଖବର ପାଇ ନିଲିଗୁଡା ରାଜସ୍ଵ କାର୍ୟ୍ୟାଳୟର କର୍ମଚାରୀ ପଡ଼ିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ପଚରାଉଚରା କରିବା ସହ ମୋଟୁ ତହସିଲଦାରଙ୍କୁ ଏକ ରିପୋର୍ଟ ପ୍ରଦାନ କରିଥିବା ଜଣାପଡିଛି । ଉଭୟ ଘଟଣାରେ ନିଲିଗୁଡା ସରପଞ୍ଚ ବୁଦୁରା କର୍ତ୍ତାମୀ, ସାଂସଦଙ୍କ ବ୍ଲକ ପ୍ରତିନିଧି ଚୀନାମ ରାବିଡ଼, ମାଟେରୁ ସରପଞ୍ଚ ଯୋଗୀ ମାଡି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ।