ଭୁବନେଶ୍ୱର: କଂଗ୍ରେସର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜ୍ୟର ୪ ଜଣ ପୂର୍ବତନ ପ୍ରଶାସନିକ ଅଧିକାରୀ ରବିବାର ଦିନ କଂଗ୍ରେସରେ ଯୋଗଦେଇଛନ୍ତି। ସେମାନେ ହେଲେ ଏମଏସଏମଇ ବିଭାଗର ପୂର୍ବତନ ସଚିବ ପଞ୍ଚାନନ ଦାସ, ଇସ୍ପାତ ଓ ଖଣି ବିଭାଗର ପୂର୍ବତନ ସ୍ବତନ୍ତ୍ର ସଚିବ ବିଶ୍ୱନାଥ ଆଚାର୍ୟ୍ୟ, ବିଡିଏର ପୂର୍ବତନ ସଚିବ ରବୀନ୍ଦ୍ର ନାଥ ମିଶ୍ର ଏବଂ ରାଜ୍ୟ ଘରୋଇ ବିଭାଗ (ପ୍ରୋଟକଲ)ର ପୂର୍ବତନ ସ୍ୱତନ୍ତ୍ର ସଚିବ ଉଦ୍ଧବ କର। ରବିବାର ପ୍ରଦେଶ କଂଗ୍ରେସ କାର୍ୟ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବ କାର୍ୟ୍ୟକ୍ରମରେ କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲା କୁମାର ଏବଂ ଓଡ଼ିଶା ପିସିସି ସଭାପତି ଶରତ ପଟ୍ଟନାୟକ ଉପରୋକ୍ତ ସମସ୍ତ ପଦାଧିକାରୀଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ଦଳକୁ ସ୍ବାଗତ କରିଥିଲେ। ଏହି କାର୍ୟ୍ୟକ୍ରମରେ ଓଡ଼ିଶା ପିସିସିର ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ କୁମାର ପଟ୍ଟନାୟକ, ମିଡ଼ିଆ ବିଭାଗର ଅଧ୍ୟକ୍ଷ ଗଣେଶ୍ୱର ବେହେରା, ବିଧାୟକ ସନ୍ତୋଷ ସିଂହ ସାଲୁଜା, ତାରା ପ୍ରସାଦ ବାହିନିପତି, ପୂର୍ବତନ ସାଂସଦ ସୁଶିଳା ତିରିଆ, ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାସ, ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ପ୍ରମୁଖ ଉପସ୍ଥିତ ଥିଲେ।