ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ କୋଟ୍ଟମ୍ ନିକଟ ପୁରୁଣା କଟକ-ସମ୍ବଲପୁର ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ତିନି ଜଣଙ୍କ ଜୀବନ ଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଯୁବକମାନେ ଏକ ସ୍କୁଟିରେ ଯାଉଥିବା ବେଳେ ଏକ ଅଜ୍ଞାତ ଗାଡ଼ି ସେମାନଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ସହାୟତାରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH) କୁ ପଠାଇଥିଲେ।
ଗୁରୁତର ଆହତ ଯୁବକ ଜଣକ ରାସୋଳ ଥାନା ଅନ୍ତର୍ଗତ ତଳ ସାହିର ଶିକ୍ଷା ପ୍ରସାଦ ସାହୁ ବୋଲି ଚିହ୍ନଟ କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ପରେ ତାଙ୍କୁ କଟକ ସ୍ଥିତ ଏସସିବି (SCB) ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏହା ସହିତ ମୃତ୍ୟୁ ସଂଖ୍ୟା ତିନିରେ ପହଞ୍ଚିଛି।

ଅନ୍ୟପକ୍ଷରେ, ମୃତ୍ୟୁବରଣ କରିଥିବା ଅନ୍ୟ ଦୁଇ ଯୁବକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ, କିନ୍ତୁ ସେମାନେ ଅନୁଗୋଳ ଜିଲ୍ଲା କଲେଜ ଛକ ଅଞ୍ଚଳର ବାସିନ୍ଦା ବୋଲି କୁହାଯାଉଛି। ସୂତ୍ର ଅନୁଯାୟୀ, ଏହି ଯୁବକମାନେ ଭୁବନେଶ୍ୱରରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।