ଅନଲାଇନ ଗେମ୍ ଖେଳି ଚାଲିଗଲା ୧୩ ବର୍ଷୀୟ ନାବାଳକର ଜୀବନ

ବାଲେଶ୍ୱର:- ଅନଲାଇନ ଗେମ୍ ଖେଳ ହେଲା କାଳ । ଅନଲାଇନ ଗେମ୍ ଖେଳି ବାଥରୁମ୍ ରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛି ୧୩ ବର୍ଷୀୟ ନାବାଳକ । ପୁଅର ମୃତ୍ୟୁ ପରେ ପରିବାର ଲୋକ ଭାଙ୍ଗିଯାଇଥିବା ବେଳେ ଅନ ଲାଇନ୍ ଗେମ୍ କୁ ବନ୍ଦ କରିବା ସହିତ କାର୍ଯ୍ୟାନୁଷ୍ଠାନ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

ଅଭିଯୋଗ ମୁତାବକ ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଗୁହାଳିପଦା ଗ୍ରାମର ସନ୍ତୋଷ କୁମାର ଜେନାଙ୍କ ୧୩ ବର୍ଷ ର ଏକମାତ୍ର ପୁଅ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ବେଳେ, ପ୍ରତ୍ୟେକ ଦିନ ଅଧିକାଂଶ ସମୟରେ ମୋବାଇଲରେ ଅନଲାଇନ ଗେମ୍ ଖେଳୁ ଥିବାରୁ ପରିବାର ପକ୍ଷରୁ ବାରମ୍ବାର ତାଗିଦ କରି ଆସୁଥିଲେ । ତେବେ ଗତ କାଲି ସନ୍ଧ୍ୟା ସମୟରେ ଅନଲାଇନ ଗେମ୍ ଖେଳକୁ ପରିବାର ଲୋକେ ବାରଣ କରିବାରୁ ବାଥରୁମର କୁ ଯାଇ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡିଛି । ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ, ସିଂଲା ପୋଲିସ ଘଟଣା ସ୍ଥଳରେ ପହଂଚି ଶବକୁ ଉଦ୍ଧାର କରି ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି ।