(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟରେ ବଦଳିଗଲା କ୍ୱାରେଣ୍ଟାଇନ୍ ନିୟମ । ଏଣିକି ୨୧ ଦିନିଆ ବଦଳରେ ମାତ୍ର ୧୪ ଦିନ କ୍ୱାରେଣ୍ଟାଇନରେ ରହିବେ କରୋନା ସନ୍ଦିଗ୍ଧ ବା ବାହାର ଫେରନ୍ତା । ଲକ୍ଷଣ ନଥିଲେ ୭ ଦିନ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ରହିବେ ଓ ଆଉ ୭ ଦିନ ହୋମ କ୍ୱାରେଣ୍ଟାଇନରେ ରହିବେ । ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ଏହା ସହ ଏସଆରସି କହିଛନ୍ତି ଯେ, ‘ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି । ସରପଞ୍ଚ, ଏସଏଚଡିଙ୍କ ସହଯୋଗରେ ସୁଫଳ ମିଳିଛି । କେବଳ ସ୍ୱତନ୍ତ୍ର ଟ୍ରେନ୍, ବସ୍ ଓ ବିମାନରେ ପ୍ରବାସୀ ଫେରୁଛନ୍ତି । ସେହିପରି ରାଜ୍ୟରେ ଘରୋଇ ବସ ଚଳାଚଳକୁ ଅନୁମତି ଦିଆଯାଇଛି । ସିଟ୍ ମୁତାବକ ଯାତ୍ରୀ ପରିବହନ ହୋଇପାରିବ । ଯାତ୍ରା ବେଳେ ସବୁ ଯାତ୍ରୀଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ । ଦିନରାତି ସେବା ଯୋଗାଇବେ ଓଲା, ଉବର ଗାଡି । କରୋନା ଲକ୍ଷଣ ଥିଲେ ଗାଡ଼ିରେ ଯିବା ମନା , ନମାନିଲେ ନିଆଯିବ କଡ଼ା କାର୍ୟ୍ୟାନୁଷ୍ଠାନ ।’ ଏହା ସହ ଆସନ୍ତାକାଲିଠାରୁ ଘରୋଇ ବିମାନ ସେବା ଆରମ୍ଭ ହେବ । ଗାଁକୁ ପ୍ରାବସୀ ଆସିଥିଲେ ଖବର ଦେବାକୁ ଲୋକମାନଙ୍କୁ ଅନୁରୋଧ କରାଯାଉଛି । ତେଲେଙ୍ଗାନାରୁ ଆଜି ୨୦ହଜାର ପ୍ରବାସୀ ଆସିବେ ।