ବଜ୍ରପାତ ନେଇ ୭ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରବିବାର ରାଜ୍ୟରେ ବିଭିନ୍ନ ସ୍ଥାନରେ ଝଡ ତୋଫାନ ସହ ବର୍ଷା ହୋଇଛି । କେନ୍ଦୁଝରରେ ସର୍ବାଧିକ ୩୧.୬ ମିମି ବର୍ଷା ରେକର୍ଡ କରାଯାଇଛି । ଏହା ବ୍ୟତୀତ ବାଲେଶ୍ୱର, ଭଦ୍ରକ, ଯାଜପୁର, ନୟାଗଡ଼, ମୟୂରଭଞ୍ଜ, କୋରାପୁଟ, ଗଞ୍ଜ।ମ, କନ୍ଧମାଳ,ଖୋର୍ଦ୍ଧା ଆଦି ଜିଲାଗୁଡ଼ିକରେ ମଧ୍ୟ ଘଡ଼ଘଡ଼ି ସହ ବର୍ଷା ହୋଇଛି । ଆସନ୍ତା ୪ ଦିନ ପର୍ୟ୍ୟନ୍ତ ଏହିଭଳି ବର୍ଷା ଓ ବଜ୍ରପାତ ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ମୟୂରଭଞ୍ଜ, କେନ୍ଦୁଝର ଓ କଳାହାଣ୍ଡି ଆଦି ୭ଟି ଜିଲାରେ ଝଡ଼ ତୋଫାନ ସହ ବଜ୍ରପାତ ହେବ । ସୋମବାର ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ ବାଲେଶ୍ୱର, ନୂଆପଡ଼ା, କନ୍ଧମାଳ, କୋରାପୁଟ ,ଭଦ୍ରକ ମାଲକାନାଗିରି, କଳାହାଣ୍ଡି, ମୟୂରଭଞ୍ଜ ଓ କେନ୍ଦୁଝର ଜିଲାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।ଏହି ସବୁ ଜିଲାରେ ଘଣ୍ଟାକୁ ୪୦ରୁ ୫୦ କି.ମି. ବେଗରେ ପବନ ବହିବ । ତେଣୁ ଏହିସବୁ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି ।