(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ ) : ହକି ବିଶ୍ବକପ୍ ପାଇଁ ପୂରା ରାଜଧାନୀକୁ ସଜେଇଦେଲେ ହେଲେ କୋ÷ଣସି କାର୍ଯ୍ୟରେ ଆସିନଥିଲା । ଆଗରୁ ଯେପରି ଥିଲା ଏବେବି ଠିକ ସେହିପରି ରହିଛି । ଏଥିପାଇଁ ବିଏମ୍ସି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କଲା। କିନ୍ତୁ ତିନି ମାସ ପରେ ସବୁ ଛାରଖାର ହୋଇଯାଇଛି। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଯେଉଁ ସୌନ୍ଦର୍ୟ୍ୟକରଣ କାର୍ୟ୍ୟ କଲେ ତା’ର ଯତ୍ନ ନେଇନପାରିବାରୁ ଏହାର ଚିହ୍ନବର୍ଣ୍ଣ ହଜିଗଲାଣି। ହକି ବିଶ୍ବକପ୍ ପାଇଁ ହୋଇଥିବା ସୌନ୍ଦର୍ୟ୍ୟକରଣ କାର୍ୟ୍ୟରେ ବିଏମ୍ସି ପକ୍ଷରୁ ବିମାନବନ୍ଦର ଛକରୁ ଆରମ୍ଭ କରି ନାଲ୍କୋ ଛକ, ରାଜଭବନରୁ କିଟ୍ ଛକ, ଶିଶୁଭବନରୁ ବାଣୀବିହାର ପର୍ୟ୍ୟନ୍ତ ରାସ୍ତାରେ ଥିବା ଷ୍ଟ୍ରିଟ୍ ଲାଇଟ୍ ଖୁଣ୍ଟରେ ଛୋଟ ଛୋଟ ପ୍ଲାଷ୍ଟିକ୍ କୁଣ୍ଡରେ ଫୁଲ ଗଛମାନ ଲଗାଇଲେ। ଏହାସହ ଏହି ରାସ୍ତାରେ ଡିଭାଇଡର୍ ଉପରେ ଏବଂ ଟ୍ରାଫିକ ପୋଷ୍ଟ ନିକଟରେ ବଡ଼ବଡ଼ କୁଣ୍ଡରେ ବିଭିନ୍ନ ଅର୍ଣ୍ଣାମେଣ୍ଟାଲ ଗଛ ଲଗାଇଲେ। ଏହି ଫୁଲଗଛ ଓ ଅର୍ଣ୍ଣାମେଣ୍ଟାଲ ଗଛ ଯେପରି ବଞ୍ଚିବ ସେଥିପାଇଁ କିଛି ଦିନ ନିୟମିତ ପାଣି ଦେବା ସହ ଏହା ଉପରେ ନଜର ରଖିଲେ। ହେଲେ ମାସ କେଇଟା ପରେ ବିଏମ୍ସି କର୍ତ୍ତୃପକ୍ଷଙ୍କ ବେପରୁଆ କାର୍ୟ୍ୟଶୈଳୀ ପଦାକୁ ଆସିଛି।