ବେଜିଂ : ଚୀନରେ କରୋନା ଭାଇରସ୍ ଆତଙ୍କ ଥମିବାର ନା ଧରୁନି। ସେଠାରେ ମୃତ୍ୟୁସଂଖ୍ୟା ୫୦୦ ଟପିଯାଇଥିବା ବେଳେ ପାଖାପାଖି ୨୪, ୦୦୦ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଭାଇରସ୍ ର ମୁଖ୍ୟ କେନ୍ଦ୍ର ଉହାନ୍ ସମେତ ଦେଶର ଅନ୍ୟ ପ୍ରମୁଖ ସହର ଗୁଡିକରେ ସୁରକ୍ଷା ଓ ଚିକିତ୍ସା ବ୍ୟବସ୍ଥା ସୁଦୃଢ କରାଯାଇଥିବା ସୂଚନା ମିଳିଛି। ପ୍ରତ୍ୟେକ ବ୍ୟକ୍ତିଙ୍କୁ ଘରେ ରହିବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହି ସ୍ଥିତି ଦିନକୁ ଦିନ ଉଗ୍ର ରୂପ ନେଇଥିବାରୁ ଉହାନ୍ରେ ଏବେ ଚିକିତ୍ସା ପାଇଁ ହସ୍ପିଟାଲ୍ ବେଡ୍ର ଅଭାବ ଦେଖାଦେଇଛି।
ସାରା ବିଶ୍ୱ ଏବେ ଚୀନ୍ର ଏଭଳି ଭୟାନକ ପରିସ୍ଥିତି ପାଇଁ ଚିନ୍ତା ପ୍ରକଟ କରିବା ସହ ସମସ୍ତ ସହାୟତା ଯୋଗାଇ ଦେବା ନିମନ୍ତେ ଆଗ୍ରହ ପ୍ରକାଶ କରିଛି। ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି, ଚୀନ୍ ଏହି ଭାଇରସ୍ କବଳରୁ ମୁକୁଳି ପାରିବ ଏବଂ ରୁଷିଆ ମଧ୍ୟ ଚୀନ୍କୁ ଏନେଇ ସବୁ ସହାୟତା କରିବ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମଧ୍ୟ କରୋନା ମୁକାବିଲା ପାଇଁ ଚୀନ୍ ସହ ମିଳିତ ପ୍ରୟାସ କରିବେ ବୋଲି ଘୋଷଣା କରିଥିବା ଜଣାପଡିଛି।