ଆସନ୍ତୁ ବୁଲିଯିବା ଭରା ଚାଙ୍ଗଲାଙ୍ଗ

(ଭୁବନେଶ୍ୱର/ରିପୋର୍ଟସଟୁଡେ): ଅରୁଣାଚଳ ପ୍ରଦେଶର ଚାଙ୍ଗ୍‌ଲାଙ୍ଗ ଜିଲା ଅନ୍ତର୍ଗତ ଚାଙ୍ଗ୍‌ଲାଙ୍ଗ ହେଉଛି ଏପରି ଏକ ସହର, ଯାହାର ସଂସ୍କୃତି, ପରମ୍ପରା ତଥା ପ୍ରାକୃତିକ ପରିବେଶ ବେଶ୍‌ ମନଛୁଆଁ। ଖାସ୍‌ କରି ଏଠାରେ ଦେଖିବାକୁ ମିଳୁଥିବା ପାହାଡ଼, ପର୍ବତ ତଥା ସବୁଜ ବନାନୀ ପର୍ୟ୍ୟଟକଙ୍କୁ ଖୁବ୍‌ ଆକର୍ଷିତ କରିଥାଏ। ସେଇଥିପାଇଁ ପ୍ରକୃତିପ୍ରେମୀଙ୍କର ଏଠାରେ ବେଶ୍‌ ଭିଡ଼ ଜମେ।
କ’ଣ ଦେଖିବେ
ପ୍ରାୟ ୪,୬୬୨ ବର୍ଗ କି.ମି. ବ୍ୟାପ୍ତ ଚାଙ୍ଗ୍‌ଲାଙ୍ଗ ଜିଲାରେ ପର୍ୟ୍ୟଟକଙ୍କୁ ଆକର୍ଷିତ କଲାଭଳି ଅନେକ ପର୍ୟ୍ୟଟନସ୍ଥଳୀ ଦେଖିବାକୁ ମିଳିଥାଏ। ଖାସ୍‌ କରି ନମଦାଫା ଜାତୀୟ ଉଦ୍ୟାନ ଏଠାକାର ଏକ ଖାସ୍‌ ଦର୍ଶନୀୟ ସ୍ଥାନ।
ନମଦାଫା ଜାତୀୟ ଉଦ୍ୟାନ: ପ୍ରାୟ ୧୯୮୫ ବର୍ଗ କି.ମି. ବ୍ୟାପ୍ତ ଅଞ୍ଚଳ ଉପରେ ଗଢି ଉଠିଥିବା ନମଦାଫାକୁ ୧୯୭୨ ମସିହାରେ ପ୍ରଥମେ ବନ୍ୟପ୍ରାଣୀ ଅଭୟାରଣ୍ୟ ଭାବେ ଘୋଷଣା କରାଯାଇଥିଲା। ହେଲେ ୧୯୮୩ରେ ଏହାକୁ ଜାତୀୟ ଉଦ୍ୟାନର ମାନ୍ୟତା ମିଳିଲା। ଖାସ୍‌ କରି ବାଘମାନଙ୍କ ସୁରକ୍ଷା ଓ ଯତ୍ନ ପାଇଁ ଏହି ଜାତୀୟ ଉଦ୍ୟାନକୁ ସ୍ବତନ୍ତ୍ର ସୁବିଧା ପ୍ରଦାନ କରାଯାଇଥିଲା। ଏବେ ଏଠାରେ ପର୍ୟ୍ୟଟକ ପ୍ରାୟ ହଜାରରୁ ଊର୍ଦ୍ଧ୍ୱ କିସମର ଗଛଲତା ଏବଂ ପ୍ରାୟ ଚଉଦ ଶହରୁ ଊର୍ଦ୍ଧ୍ୱ ପ୍ରଜାତିର ପ୍ରାଣୀଙ୍କୁ ଦେଖିବାର ସୁଯୋଗ ପାଇପାରିବେ।
ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ସମାଧିସ୍ଥଳ: କୁହାଯାଏ, ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ମୃତ୍ୟୁ ବରଣ କରିଥିବା ସୈନିକମାନଙ୍କର ଏକ ସମାଧିସ୍ଥଳ ଚାଙ୍ଗ୍‌ଲାଙ୍ଗ ଜିଲାର ଜୟରାମପୁର ନାମକ ଏକ ସ୍ଥାନରେ ନିର୍ମାଣ କରାଯାଇଥିଲା। ସେଇ ପୁରୁଣା ଦିନର ସ୍ମୃତିକୁ ମନେପକାଇ ଦେବା ପାଇଁ ଏବେ ବି ଏହି ସମାଧିସ୍ଥଳ ଏଠାରେ ଥିବା ଦେଖିବାକୁ ମିଳେ।
ବୋର୍ଡୁମ୍ସା: ଏହା ଚାଙ୍ଗ୍‌ଲାଙ୍ଗ ଜିଲା ଅନ୍ତର୍ଗତ ଏକ ଅଞ୍ଚଳ, ଯେଉଁଠାରେ ମୁଖ୍ୟତଃ ସିଙ୍ଗଫୋ ଜନଜାତିର ଲୋକେ ବସବାସ କରିଥାନ୍ତି। ଏଠାକୁ ଗଲେ ସେମାନଙ୍କ ଜୀବନଶୈଳୀ ଓ ସଂସ୍କୃତି ସମ୍ପର୍କରେ ଅନେକ କଥା ଜାଣିବାକୁ ମିଳିଥାଏ।
ଏସବୁ ବ୍ୟତୀତ ଚାଙ୍ଗ୍‌ଲାଙ୍ଗର ପାହାଡ଼, ପର୍ବତ ତଥା ସବୁଜ ବନାନୀର ଅପରୂପ ସୌନ୍ଦର୍ୟ୍ୟ ପର୍ୟ୍ୟଟକଙ୍କୁ ଖୁବ୍‌ ଆକର୍ଷିତ କରିଥାଏ। ଖାସ୍‌ ସେଇଥିପାଇଁ ଏଠାରେ ଭିଡ଼ ପରିଲକ୍ଷିତ ହୋଇଥାଏ।
କେବେ ଯିବେ
ଏଠାକୁ ଯିବା ପାଇଁ ବର୍ଷସାରା ସୁବିଧା ରହିଛି। ତେବେ ସ୍ଥାନୀୟ ପାଣିପାଗ ସୂଚନା କେନ୍ଦ୍ର ଅନୁଯାୟୀ, ଶୀତଦିନେ ଏଠାକାର ତାପମାତ୍ରା ପ୍ରାୟ ୧୨ରୁ ୨୮ ଡିଗ୍ରୀ ସେଲ୍‌ସିୟସ୍‌ ଭିତରେ ରହିଥାଏ। ସେହିପରି ଖରାଦିନେ ତାପମାତ୍ରା ଟିକେ ବଢିଥାଏ, କିନ୍ତୁ ବୁଲାବୁଲି କରିହୁଏ। ହେଲେ ବର୍ଷାଦିନେ ଏଠାରେ ପ୍ରବଳ ବର୍ଷା ହେଉଥିବାରୁ ବୁଲିବାରେ ଟିକେ ସମସ୍ୟା ଦେଖାଦେଇଥାଏ। ତେଣୁ ପର୍ୟ୍ୟଟକ ଚାହିଁଲେ ବର୍ଷାଦିନକୁ ଛାଡ଼ି ବାକି ଅନ୍ୟ ସମୟରେ ଚାଙ୍ଗ୍‌ଲାଙ୍ଗକୁ ପର୍ୟ୍ୟଟନରେ ଯାଇପାରିବେ।
କେମିତି ଯିବେ
ଏଠାକୁ ଯିବା ପାଇଁ ଗମନାଗମନର ଭଲ ସୁବିଧା ରହିଛି। ଆସାମସ୍ଥିତ ଦିବ୍ରୁଗଡ଼ ଏୟାରପୋର୍ଟ ହେଉଛି ଏଠାକାର ନିକଟତମ ବିମାନବନ୍ଦର, ଯାହା ଚାଙ୍ଗ୍‌ଲାଙ୍ଗ ସହରଠାରୁ ପ୍ରାୟ ୧୮୨ କି.ମି. ଦୂରରେ ଅବସ୍ଥିତ। ଏୟାରପୋର୍ଟରୁ ଚାଙ୍ଗ୍‌ଲାଙ୍ଗ ଯିବା ପାଇଁ ଟ୍ୟାକ୍ସିର ସୁବିଧା ରହିଛି। ସେହିପରି ଆସାମର ନିୟୁ ତିନ୍‌ସୁକିୟା ଜଙ୍କଶନ୍‌ ରେଲଓ୍ବେ ଷ୍ଟେଶନ ହେଉଛି ଏହାର ନିକଟତମ ମୁଖ୍ୟ ରେଳଷ୍ଟେଶନ, ଯାହା ଚାଙ୍ଗ୍‌ଲାଙ୍ଗଠାରୁ ପ୍ରାୟ ୧୪୧ କି.ମି. ଦୂରରେ ରହିଛି। ତା’ଛଡ଼ା ଦେଶର ବିଭିନ୍ନ ସ୍ଥାନରୁ ଏଠାକୁ ଯିବା ପାଇଁ ଟୁରିଷ୍ଟ ବସ୍‌ର ବି ବ୍ୟବସ୍ଥା ଅଛି।