ଶ୍ରୀମନ୍ଦିରରେ ୮ ଦ୍ୱାରରୁ ୭ଟି ଦ୍ୱାରର କାମ ଶେଷ ହୋଇଛି

(ଜୟନ୍ତ କୁମାର ସେଠୀ / ଗୋପ) ; ଶ୍ରୀମନ୍ଦିର ରେ ରୁପା ଛାଉଣି ପାଇଁ ପ୍ରସ୍ତାବିତ ଶ୍ରୀମନ୍ଦିରର ୮ଟି ଦ୍ଵାରରୁ ୭ଟି ଦ୍ଵାର କାମ ଶେଷ ହୋଇଛି। ପୂର୍ବରୁ ଆଦିନୃସିଂହ ମନ୍ଦିର ଓ ମା’ ବିମଳାଙ୍କ ମନ୍ଦିର ଦ୍ବାର କାମ ଶେଷ ହୋଇ ଥିବା ବେଳେ ଗତକାଲି ମା’ ଲକ୍ଷ୍ମୀଙ୍କ ମନ୍ଦିରର ପ୍ରମୁଖ ଦ୍ବାରକୁ ଶେଷ ସ୍ପର୍ଶ ଦିଆଯାଇଛି। ନବନିର୍ମିତ ଦ୍ଵାର ଲାଗିବା ପରେ ଏଥିରେ ରୁପା ଚାଦର ସହ ସୂକ୍ଷ୍ମ କାରୁକାର୍ୟ୍ୟପୂର୍ଣ୍ଣ ବର୍ଗାକାର ରୁପା ପ୍ଲେଟ୍ ସଂଯୋଗ କରାଯାଇଛି। ଯାହାକି ବେଶ ଆକର୍ଷଣୀୟ ହୋଇଛି। ଶ୍ରୀମନ୍ଦିରର ବେହେରଣ ଦ୍ଵାର, ଜୟ-ବିଜୟ ଦ୍ଵାର, ଭୋଗମଣ୍ଡପ ପଶ୍ଚିମପାର୍ଶ୍ଵ ଦ୍ଵାର, ସାତପାହାଚ ଦ୍ଵାର, ଆଦି ନୃସିଂହ ମନ୍ଦିର, ମା’ ବିମଳା ମନ୍ଦିର ଓ ମହାଲକ୍ଷ୍ମୀମନ୍ଦିର ଦ୍ଵାରର ନୂଆ କବାଟ ବର୍ମା ଟିକ୍ରେ ନିର୍ମାଣ ସରିଥିବା ବେଳେ ପର୍ୟ୍ୟାୟ କ୍ରମେ ଏଥିରେ ରୁପା ଚାଦର ଆଚ୍ଛାଦିତ କରାଯାଉଥିଲା। ପ୍ରଥମ ପର୍ୟ୍ୟାୟରେ ରଥଯାତ୍ରା ପୂର୍ବରୁ ନୂଆ ବର୍ମା ଟିକରେ ନିର୍ମିତ ଜୟ-ବିଜୟ ଓ ଭୋଗମଣ୍ଡପ ପଶ୍ଚିମପାର୍ଶ୍ଵ ଦ୍ଵାର କବାଟ ଲାଗିବା ପରେ ଏହା ଉପରେ ରୁପା ଚାଦର ଲଗାଯାଇଥିଲା। ଏହି କାମକୁ ମୁମ୍ବାଇରୁ ଆସିଥିବା କାରିଗରମାନେ କରିଛନ୍ତି। କେବଳ କଳାହାଟ ଦ୍ଵାର ଓ ଏଥିରେ ରୁପା ଛାଉଣି କାମ ବାକି ରହିଛି । ଯେହେତୁ ଦୈନନ୍ଦିନ ନୀତିକାନ୍ତି ଚାଲିଛି, ବର୍ତ୍ତମାନ ପରିସ୍ଥିତିରେ ଏହି ଦ୍ବାରରେ କାମ ସମ୍ଭବ ନଥିବାରୁ ଆସନ୍ତା ରଥଯାତ୍ରା ସମୟରେ ଏହି ଦ୍ବାର କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି ଜ୍ଝ