ଶୋଇଲେ ବଢେ କ୍ୟାନ୍ସର ସେଲ

ନୂଆଦିଲ୍ଲୀ : କ୍ୟାନସରକୁ ନେଇ ସାରା ବିଶ୍ୱରେ ଚାଲିଛି  ଗବେଷଣା । ଆଉ ଏହି ଗବେଷଣାରୁ ମିଳିଛି ଏକ ରୋଚକ ତଥ୍ୟ ।  ଆଧୁନିକ ଚିକିତ୍ସା ବିଜ୍ଞାନ ଯେତିକି ଆଗଉଛି, ପୂର୍ବ ତୁଳନାରେ କର୍କଟ ରୋଗର ଆରୋଗ୍ୟ ହାର ମଧ୍ୟ ବଢ଼ୁଛି । ତେବେ ଏକ ଗବେଷଣାରୁ ଜଣାପଡିଛି ଯେ , ଶୋଇବା ବେଳେ କ୍ୟାନସର ସେଲ୍ ଅଧିକ ସକ୍ରିୟ ରହେ ଏବଂ ଅଧିକ ମାଡ଼ିଥାଏ ।  ରିସର୍ଚ୍ଚ ଅନୁଯାୟୀ  ବ୍ରେଷ୍ଟ କ୍ୟାନସରରେ ପୀଡିତ ଥିବା ବ୍ୟକ୍ତିଙ୍କ ଟ୍ୟୁମର ସେଲ୍ସ ଶୋଇବା ବେଳେ ଅଧିକ ମାଡ଼ିଥାଏ । ଏହାକୁ ମେଟାଷ୍ଟାଟିକ୍ କ୍ୟାନସର ବୋଲି କୁହାଯାଏ । ତେବେ ଶରୀରର ଗୋଟିଏ ଅଙ୍ଗରେ ସୃଷ୍ଟି ହୋଇଥିବା କ୍ୟାନସର ଟ୍ୟୁମର ସେଲ୍ ରକ୍ତ ମାଧ୍ୟମରେ ଅନ୍ୟ ଏକ ଅଙ୍ଗକୁ ଚାଲିଥାଏ । ଏହାକୁ ଷ୍ଟେଜ୍-ଫୋର୍ କ୍ୟାନସର ମଧ୍ୟ କୁହାଯାଏ । ସ୍ୱାସ୍ଥ୍ୟ ଭିତିକ ଅଗ୍ରଣୀ ପତ୍ରିକା ନେଚର ଜର୍ଣ୍ଣାଲରେ ପ୍ରକାଶିତ ଅଧ୍ୟୟନରେ ଏପରି କିଛି କୁହାଯାଇଛି ।  ତେବେ ରୋଗୀ ଶୋଇବା ସମୟରେ ଏହି ସେଲ ଗୁଡିକ ଆକ୍ଟିଭ ହୋଇଯାଇଥାଏ ବୋଲି ଏହି ଟିମ୍ ସୁଇସ୍ ଫେଡେରାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଏବଂ ୟୁନିଭର୍ସିଟି ଅଫ୍ ବାସେଲର ଗବେଷକଙ୍କ ନେତୃତ୍ୱରେ ପ୍ରକାଶ କରିଛନ୍ତି  । ଏହି ଗବେଷଣା ପାଇଁ ବ୍ରେଷ୍ଟ କ୍ୟାନସରରେ ଆକ୍ରାନ୍ତ ହୋଇଥିବା ୩୦ ଜଣ ମହିଳାଙ୍କ ରକ୍ତ ନମୁନା ନିଆଯାଇଥିଲା । ଉଭୟ ଦିନ ଓ ରାତିର ନମୁନା ସଂଗ୍ରହ କରାଯାଇଥିଲା ।

ଏହାଛଡ଼ା ଗବେଷକମାନେ ଟ୍ୟୁମରକୁ ମୂଷାରେ ଗ୍ରାଫ୍ଟ କରି ପରୀକ୍ଷା କରିଥିଲେ । ଯେହେତୁ ମୂଷା, ରାତିରେ ଅଧିକ ସକ୍ରିୟ ଥାଏ ଏବଂ ଦିନରେ ଶୋଇ ଥାଏ, ବିଶ୍ରାମ ନେବା ସମୟରେ ଅର୍ଥାତ ଦିନରେ ଟ୍ୟୁମର ସେଲ୍ ସ୍ତର ଅଧିକ ରହିଥିଲା । ତେବେ ମଣିଷ କ୍ଷେତ୍ରରେ ଏହା ଓଲଟା, କାରଣ ମଣିଷ ରାତିରେ ଶୋଇଥାନ୍ତି । ତେଣୁ ରାତି ଶୋଇବା ବେଳେ କ୍ୟାନସର ଅଧିକ ବଢ଼ିଥାଏ ବୋଲି କହିଛନ୍ତି ଗବେଷକ । ତେବେ ରୋଗୀ ଅନିଦ୍ରା ରହିବା ଉଚିତ ନୁହେଁ, ବରଂ ଭଲ ନିଦରେ ଶୋଇବା ଜରୁରୀ ବୋଲି କହିଛନ୍ତି ଗବେଷକ । ଏ ନେଇ ଅଧିକ ଗବେଷଣା ଆବଶ୍ୟକ ବୋଲି କୁହାଯାଉଛି ।