(ଭୁବନେଶ୍ୱର): କରୋନା ଓ ଲକ୍ଡାଉନ । ବର୍ତ୍ତମାନ ସମସ୍ତଙ୍କ ମୁହଁରେ ଏହି ଦୁଇଟି କଥା । ଏହି କରୋନା ଓ ଲକଡାଉନ ପାଇଁ ଜୀବନ ଯାତ୍ରା ଅସ୍ତବ୍ୟସ୍ତ ହୋଇ ପଡିଛି । ଏହାରି ମଧ୍ୟରେ ଖୋର୍ଦ୍ଧା ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ଫସି ରହିଛନ୍ତି ପ୍ରାୟ ୧୫୦ରୁ ୨୦୦ ଟ୍ରକ ଡ୍ରାଇଭର ଓ ହେଲପର । ଏମାନଙ୍କ ଜୀବନ ପ୍ରାୟ ଦୁଇ ମାସ ହେବ ଦୟନୀୟ ହୋଇପଡିଛି । ପେଟ୍ରୋଲ ପମ୍ପ ନିକଟ ଖାଲି ଜାଗାରେ ଶହଶହ ସଂଖ୍ୟକ ଟ୍ରକ ଠିଆକରି ଏହି କର୍ମଚାରୀମାନେ ଦିନ ରାତି ଜଗିବସିଛନ୍ତି । ଖୋର୍ଦ୍ଧାର ତ୍ରିରଙ୍ଗା ମଦ ଡିପୋକୁ ଭାରତର ହରିଆଣା, ପଞ୍ଜାବ, କର୍ଣ୍ଣାଟକ ଆଦି ବିଭିନ୍ନ ପ୍ରାନ୍ତରୁ ଟ୍ରକ ଯୋଗେ କିଙ୍ଗ ଫିସର, ପାଲ, ଟ୍ୟିବର ଆଦି ବହୁ କମ୍ପାନୀର ବିୟର ଡେଲିଭରୀ ପାଇଁ ଆସିଥିଲା । କିନ୍ତୁ ଡେଲିଭରୀ ନେଇନଥିଲା । ଏହା ପରେ ପରେ ମାର୍ଚ୍ଚ ୨୪ରୁ ଦେଶରେ ଲକ୍ଡାଉନ ଜାରି କରାଯାଇଛି । ଏହାକୁ ନେଇ ତ୍ରିରଙ୍ଗା କମ୍ପାନୀ ଟ୍ରକରୁ ମାଲ ଅନଲୋଡ କରିବାକୁ ଅରାଜି । ତେଣୁ ବିଚରା ଟ୍ରକ ଡ୍ରାଇଭର ଓ କର୍ମଚାରୀ ଫସିଯାଇଛନ୍ତି ରାସ୍ତା ଉପରେ । ବହୁ କାକୁତି ମିନତି ପରେ ଯେତେବେଳେ କିଛି ହେଲାନି, ଶେଷରେ ଆମ ସହ ଯୋଗାଯୋଗ କରି ସାହାଯ୍ୟ ମାଗିଲେ ।
ସେମାନଙ୍କ କହିବା ଅନୁଯାୟୀ, ପ୍ରାୟ ଦୁଇ ମାସ ହେବ ଗାଡିଗୁଡିକ ଠିଆ ହୋଇ ରହିଛି । ସେମାନଙ୍କ ମାଲ ଅନଲୋଡ କରାଯାଉନାହିଁ । ତେଣୁ ଘରକୁ ଯିବାର ସମସ୍ତ ବାଟ ବନ୍ଦ । ଅସହାୟ ଭାବେ ଖରା ବର୍ଷାରେ ଟ୍ରକକୁ ଜଗି ବସିଛନ୍ତି । ଯାହା କିଛି ଟଙ୍କା ଥିଲା ସେସବୁ ମଧ୍ୟ ଶେଷ ହୋଇଗଲାଣି । ନାଁ ଗଣ୍ଡେ ଭଲରେ ଖାଇବାକୁ ମିଳୁଛୁ ନାହିଁ ଶୋଇବାକୁ । ଏତେ ସଂଖ୍ୟାରେ ବିୟର ଟ୍ରକ ଠିଆହୋଇ ରହିଥିବା ବେଳେ ଲକଡାଉନ ପାଇଁ ମଦ ଦୋକାନ ବନ୍ଦ ରହିଥିବାରୁ ସେମାନଙ୍କ ମାଲ ଚୋରି କରିବାକୁ ଲୋକେ ରାତିରେ ଦଳ ବଳ ହୋଇ ଆସୁଛନ୍ତି ତ ପୁଣି କେତେବେଳେ ଜଣ ଜଣ ହୋଇ । ତେଣୁ ରାତିରେ ସମସ୍ତେ ଜଗିବସୁଛନ୍ତି ମାଲକୁ । କାଳେ ଦଳ ବଳ ହୋଇ ତାଙ୍କ ଉପରେ ଆକ୍ରମଣ ହେବ, ଏହି ଆଶଙ୍କାରେ ସେମାନଙ୍କ ଜୀବନ ବିତୁଛି । ସବୁଠାରୁ ବଡ ସମସ୍ୟା ହୋଇ ଠିଆହୋଇଛି ଶୌଚ ଯିବା । ଶୌଚ ପାଇଁ ରାତି ଅଧରେ ଲୁଚିଛପି ଯିବାକୁ ପଡୁଛି । ଅନ୍ୟ ପଟେ ଘରେ ସେମାନଙ୍କ ଚଳଣି ମଧ୍ୟ ଭଲ ନାହିଁ । ଯାହା ରୋଜଗାର କରନ୍ତି ସେଥିରେ ଚଳନ୍ତି । ଏବେ ସେମାନେ ଏଠି ଫସି ରହିଥିବା ବେଳେ ସେମାନଙ୍କ ପରିବାର ଲୋକ ମଧ୍ୟ ବହୁ ଅସୁବିଧା ଭୋଗୁଛନ୍ତି । ସେମାନଙ୍କ ସମସ୍ୟା ବୁଝି ତୁରନ୍ତ ତ୍ରିରଙ୍ଗା କମ୍ପାନୀ ସେମାନଙ୍କ ମାଲ ଅନଲୋଡ କରିଦେଲେ ସେମାନେ ଖାଲି ଗାଡି ନେଇ ଘରକୁ ଫେରନ୍ତେ ବୋଲି ପ୍ରଶାସନକୁ ସେମାନଙ୍କ ଗୁହାରି ଜଣାଇଛନ୍ତି ।