(ମଧୂସୁଦନ ବହିଦାର/ବଲାଙ୍ଗୀର): ୩୦୪ ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ତାମିଲନାଡୁରୁ ଏକ ସ୍ୱତନ୍ତ୍ର ଟ୍ରେନ ପୂର୍ବାହ୍ନରେ ୧୧ଟା ସମୟରେ ବଲାଙ୍ଗୀର ଷ୍ଟେସନରେ ପହଞ୍ଚିବ । ବଲାଙ୍ଗୀର ପରେ ଭଦ୍ରକ ଓ ଶେଷରେ ବାଲେଶ୍ୱର ପର୍ୟ୍ୟନ୍ତ ଟ୍ରେନ ଯିବା ଵ୍ୟଵସ୍ଥା ରହିଛି । ସେଥିପାଇଁ ସଂକ୍ରମଣ ହେବା ଆଶଙ୍କା କୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା ବ୍ୟାପକ କରାଯାଇଛି। ପ୍ରଥମେ ପ୍ରବାସୀ ଟ୍ରେନ ରୁ ଓହ୍ଲାଇବା ମାତ୍ରେ ସ୍କ୍ରିନିଂ କରାଯିବ । ଅନ୍ୟାନ୍ୟ ଆନୁସଙ୍ଗିକ ଶାରୀରିକ ପରୀକ୍ଷା କରାଯିବା ପରେ ପଞ୍ଜିକରଣ, ଖାଇବା, ପିଇବା ପାଣି, ଶୌଚାଳୟ ତଥା ସାନିଟାଇଜର ଆଦି ପାଇଁ ୮ଗୋଟି କାଉଣ୍ଟର କରାଯାଇଛି। ପୁଣି ପରବର୍ତ୍ତୀ ସମୟରେ ସ୍ବତନ୍ତ୍ର ବସ୍ ଯୋଗେ ସେମାନଙ୍କୁ ନିଜ ନିଜ ଜିଲ୍ଲା ତଥା ପଞ୍ଚାୟତକୁ ପଠାଯିବାର ବନ୍ଦୋବସ୍ତ କରାଯାଇଥିବା କହିଛନ୍ତି ଦାୟିତ୍ୱରେ ଥିବା ଅଧିକାରୀ । ତେବେ ସୁରକ୍ଷା ଦୃଷ୍ଟିରୁ ବଲାଙ୍ଗୀର ରେଳ ଷ୍ଟେସନକୁ ସଂଯୋଗ କରୁଥିବା କିଛି ମୁଖ୍ୟ ରାସ୍ତା କୁ ସକାଳ ୯ଟା ବେଳୁ ସନ୍ଧ୍ୟା ୬ ଟା ପର୍ୟ୍ୟନ୍ତ ପ୍ରଶାସନ ତରଫରୁ ୧୪୪ ଧାରା ସହ କର୍ଫ୍ୟୁ ଜାରି କରାଯାଇଛି । ଅପରପକ୍ଷେ ବଲାଙ୍ଗୀର ସହରାଞ୍ଚଳ ଓ ଗ୍ରାମାଞ୍ଚଳ ପୋଲିସ ଆଇନ ଶୃଙ୍ଖଳା ବ୍ୟବସ୍ଥାର ତଦାରଖ କରିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି। ନିଜେ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ଓ ଆରକ୍ଷୀ ଅଧୀକ୍ଷକ ଏମ୍.ସନ୍ଦୀପ ସଂପଥ ତଦାରକ କରୁଥିବା ନଜର କୁ ଆସିଛି ।