ମୁମ୍ବାଇ : ସମସ୍ତ ବାଧାବିଘ୍ନ ସହ ଲଢ଼ି ବଲିଉଡ୍ରୁ ଯାଇ ହଲିଉଡ୍ରେ ପ୍ରତିଷ୍ଠା ଅର୍ଜନ କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ହଲିଉଡ୍ରେ ୧୦ ବର୍ଷ ବିତେଇ ସାରିଛନ୍ତି। ଏହି ଅବସରରେ ନିଜର ସୁଦୀର୍ଘ କ୍ୟାରିୟର ସମ୍ପର୍କରେ ଆତ୍ମସମୀକ୍ଷା କରି ସେ ବିଭିନ୍ନ ମାର୍ମିକ କଥା ବଖାଣିଛନ୍ତି। ପଛକୁ ଫେରି ଚାହିଁଲା ବେଳକୁ ବିଭିନ୍ନ ବିଫଳତା ତାଙ୍କର ସ୍ମରଣକୁ ଆସିଥାଏ ବୋଲି ପ୍ରିୟଙ୍କା ଏକ ସାକ୍ଷାତକାର ଅବସରରେ କହିଛନ୍ତି। କିନ୍ତୁ ସେ ସେଗୁଡ଼ିକ ସମ୍ପର୍କରେ ଆଲୋଚନା କରନ୍ତି ନାହିଁ। ବିଫଳତା ପରେ ଚୁପ୍ ବସିବାର ପ୍ରବୃତ୍ତି ତାଙ୍କର ନୁହେଁ। ସବୁଠାରୁ ଉଲ୍ଲେଖନୀୟ କଥା ହେଲା, ଗତ କିଛି ବର୍ଷ ମଧ୍ୟରେ ବିଫଳତା ପ୍ରତି ତାଙ୍କର ଦୃଷ୍ଟିଭଙ୍ଗୀ ବଦଳିଯାଇଛି। ସେ କହିଛନ୍ତି ଯେ ବିଫଳତା ଏବେ ବି ତାଙ୍କୁ କଷ୍ଟ ଦିଏ, ପରିବାର ସହିତ ସେ କାନ୍ଦନ୍ତି ଓ ଖୁବ୍ ହତାଶ ଅନୁଭବ କରନ୍ତି, କିନ୍ତୁ ସେ ସେହି ବିଫଳତାରୁ ଖୁବ୍ ଶୀଘ୍ର ଉଠିପାରନ୍ତି।
୨୦-୩୦ ବର୍ଷ ବୟସର ପ୍ରିୟଙ୍କା ସହିତ ତୁଳନା କଲେ ବର୍ତ୍ତମାନର ପ୍ରିୟଙ୍କା ଅଧିକ ଶକ୍ତିଶାଳୀ ଢଙ୍ଗରେ ଆହ୍ବାନର ସମ୍ମୁଖୀନ ହୋଇପାରନ୍ତି ବୋଲି ସେ ନିଜେ ଆଶ୍ବସ୍ତି ପ୍ରକାଶ କରିଛନ୍ତି। ସେହି କାରଣରୁ ସେ ନିଜ ସ୍ଥିତି ଓ କ୍ୟାରିୟର ନେଇ ଏବେ କିଛି ମାତ୍ରାରେ ସନ୍ତୁଷ୍ଟ ଅଛନ୍ତି।