ଯଶୱନ୍ତ ସିହ୍ନା ହେଲେ ରାଷ୍ଟ୍ରପତି ପ୍ରାର୍ଥୀ

ନୂଆଦିଲ୍ଲୀ: ମିଳିତ ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଯଶୱନ୍ତ ସିହ୍ନାଙ୍କ ନାଁ ଘୋଷଣା କରାଯାଇଛି। ଶ୍ରୀ ସିହ୍ନାଙ୍କ ନାମକୁ ବରିଷ୍ଠ କଂଗ୍ରେସ ନେତା ମଲ୍ଲୀକାର୍ଜୁନ ଖାଡଗେ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ଉପସ୍ଥିତିରେ ଘୋଷଣା କରିଥିଲେ। ୧୯ଟି ମିଳିତ ବିରୋଧୀ ଦଳର ପ୍ରାର୍ଥୀ ଭାବେ ଶ୍ରୀ ସିହ୍ନାଙ୍କ ନାମ ଘୋଷଣା କରାଯାଇଛି। ଟିଏମସି ନେତ୍ରୀ ମମତା ବାନାର୍ଜୀ ଜୁନ୍ ୧୫ ତାରିଖରେ ଦିଲ୍ଲୀରେ ରାଷ୍ଟ୍ରପତି ନିର୍ବାଚନ ଲାଗି ୧୯ଟି ଦଳର ନେତାଙ୍କୁ ଡକାଇଥିଲେ। ଅଟଳବିହାରୀ ବାଜପେୟୀଙ୍କ ମନ୍ତ୍ରୀ ମଣ୍ଡଳରେ ଅର୍ଥ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଥିଲେ। ତେବେ ଶ୍ରୀ ସିହ୍ନା ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ କାର୍ଯ୍ୟକାଳ ସମୟରେ ମଧ୍ୟ ଅର୍ଥମନ୍ତ୍ରୀ ଥିଲେ। ମୋଦିଙ୍କ ଶାସନ ବ୍ୟବସ୍ଥାରେ ଅସନ୍ତୁଷ୍ଟ ହୋଇ ୨୦୧୮ରେ ବିଜେପିରୁ ଇସ୍ତଫା ଦେଇଥିଲେ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ୨୦୨୧ରେ ଟିଏମସିରେ ସାମିଲ ହୋଇଥିଲେ। ତେବେ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷାଣା ପୂର୍ବରୁ ମଙ୍ଗଳବାର ପୂର୍ବାହ୍ନରେ ଟିଏମସିରୁ ଇସ୍ତଫା ଦେଇଥିଲେ।