ମୃତ୍ୟୁଦଣ୍ଡ ଘୋଷଣା ପରେ କଣ ହାସିନାଙ୍କୁ ଫେରାଇବ ଭାରତ, କଣ କୁହନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ : ବାଂଲାଦେଶର ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ଦେଶର ଇଣ୍ଟରନ୍ୟାସନାଲ କ୍ରାଇମ୍ ଟ୍ରିବ୍ୟୁନାଲ (ଆଇସିଟି) ଗତ ବର୍ଷ ଛାତ୍ର ଆନ୍ଦୋଳନ ବେଳେ ହୋଇଥିବା ହିଂସା ଓ ମୃତ୍ୟୁ ନେଇ ମାନବତା ବିରୋଧରେ ଅପରାଧରେ ଦୋଷୀ କରାଯାଇଛି ଏବଂ ତାଙ୍କୁ ମୃତ୍ୟୁଦଣ୍ଡ ଶୁଣାଯାଇଛି। ଏହି ନିଷ୍ପତ୍ତି ପରେ କେବଳ ଶେଖ ହସିନା ନୁହେଁ , ବରଂ ତାଙ୍କର ପାର୍ଟି ବାଂଲାଦେଶ ଆୱାମୀ ଲିଗ୍‌ର ମଧ୍ୟ ରାଜନୀତିକ ଅସ୍ତିତ୍ୱ ଉପରେ ବିପଦ ଛାଇ ଯାଇଛି। ସେପଟେ ବାଂଲାଦେଶରେ ଦଙ୍ଗା ପରିସ୍ଥିତି ପରେ ସେ ୨୦୨୪ ମସିହାରୁ ଭାରତରେ ଆଶ୍ରୟ ନେଉଛନ୍ତି । ବାଂଲାଦେଶ ଶେଖ୍ ହାସିନାଙ୍କୁ ଫେରାଇବା ପାଇଁ ଭାରତ ଉପରେ ଲଗାତାର ଚାପ ପକାଇ ଆସୁଛି।

ତେବେ କହିରଖୁଛୁ ଯେ, ବିଶେଷଜ୍ଞଙ୍କ ଅନୁସାରେ ଭାରତ ମହମ୍ମଦ ୟୁନୁସଙ୍କ ସହିତ ଶତ୍ରୁତା ସୃଷ୍ଟି କଲେ ମଧ୍ୟ ହସିନାଙ୍କୁ ଫେରାଇବ ନାହିଁ। ଭାରତ ଏଥିପାଇଁ ପ୍ରତ୍ୟର୍ପଣ ଚୁକ୍ତିନାମାକୁ ଉଦ୍ଧୃତ କରିପାରେ। ଭାରତ ଏବଂ ବାଂଲାଦେଶ ମଧ୍ୟରେ ଜାନୁଆରୀ ୨୮, ୨୦୧୩ରେ ଏକ ପ୍ରତ୍ୟର୍ପଣ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହାକୁ ୨୦୧୬ରେ ସଂଶୋଧନ କରାଯାଇଥିଲା ଏବଂ ଆଜି ମଧ୍ୟ ପୂର୍ଣ୍ଣ ବଳବତ୍ତର ରହିଛି। ଏହି ଚୁକ୍ତି ଅନୁଯାୟୀ ଉଭୟ ଦେଶ ପରସ୍ପରକୁ ଅପରାଧୀମାନଙ୍କୁ ହସ୍ତାନ୍ତର କରିବେ। ଆତଙ୍କବାଦ, ହତ୍ୟା, ଅପହରଣ, ନିଶା କାରବାର, ମନି ଲଣ୍ଡରିଂ ଏବଂ ଦୁର୍ନୀତି ଭଳି ଗମ୍ଭୀର ଅପରାଧ ପାଇଁ ପ୍ରତ୍ୟର୍ପଣକୁ ଅନୁମତି ଦିଆଯିବ। ଯଦି କେହି ରାଜନୈତିକ ଅପରାଧ କରନ୍ତି, ତେବେ ତାଙ୍କୁ ପ୍ରତ୍ୟର୍ପଣ କରାଯିବ ନାହିଁ। ଯଦି ଅପରାଧୀକୁ ତାଙ୍କ ଦେଶରେ ମୃତ୍ୟୁଦଣ୍ଡ ଦିଆଯାଇପାରିବ, ତେବେ ତାଙ୍କୁ ହସ୍ତାନ୍ତର କରିବା ପୂର୍ବରୁ, ତାଙ୍କୁ ଫାଶୀ ଦିଆଯିବ ନାହିଁ ବୋଲି ଏକ ଲିଖିତ ଗ୍ୟାରେଣ୍ଟି ନେବାକୁ ପଡିବ। ତେବେ ଏହି ଚୁକ୍ତିନାମା ପ୍ରତ୍ୟର୍ପଣକୁ ବାଧ୍ୟତାମୂଳକ କରେ ନାହିଁ। ଏହି ଚୁକ୍ତିନାମା ସ୍ପଷ୍ଟ ଭାବରେ ଅନେକ ବ୍ୟତିକ୍ରମକୁ ଅନୁମତି ଦିଏ ଯାହା ଅଧୀନରେ ଭାରତ ଶେଖ ହାସିନାଙ୍କୁ ପ୍ରତ୍ୟର୍ପଣ କରିବାକୁ ମନା କରିପାରିବ…