ପାରଳାଖେମୁଣ୍ଡି: ଶିଶୁ ମୃତ୍ୟୁକୁ ନେଇ ଗ୍ରାମବାସୀଙ୍କ ରାସ୍ତା ଅବରୋଧ । ଶିଶୁମାନଙ୍କୁ ଏକ୍ସପାରି ଔଷଧ ଦେବା ଯୋଗୁଁ ଗୁରୁତର ହୋଇପଡ଼ିଥିବା ନେଇ ପାରଳାଖେମୁଣ୍ଡି ଥାନାରେ ଅଭିଯୋଗ ହୋଇଛି। ଏହାକୁ ନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ମିଳିଥିବା ସୂଚନା ଅନୁସାରେ, ପାରଳାଖେମୁଣ୍ଡି ଉପକଣ୍ଠ ଜାଜପୁର ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ର ପକ୍ଷରୁ ଗତ ଏପ୍ରିଲ ୧୧ତାରିଖରେ ଦିଆଯାଇଥିବା ଏକ୍ସପାରି ଭିଟାମିନ ଔଷଧ ଖାଇ ଅନେକ ଶିଶୁ ଗୁରୁତର ହୋଇପଡ଼ିଥିଲେ। ତେବେ ଚିକିତ୍ସା ପରେ ସମସ୍ତେ ସୁସ୍ଥ ହୋଇଥିଲେ ମଧ୍ୟ ୧୧ମାସର ସଞ୍ଚିତଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇପଡ଼ିଥିଲା। ତାଙ୍କୁ ପ୍ରଥମେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କଟକ ସ୍ଥିତ ଶିଶୁଭବନରେ ଚିକିତ୍ସା କରାଯାଇଥିଲା। ଶିଶୁ ଭବନରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ଶିଶୁଟି ଆଖି ବୁଜିଦେଇଛି। ତେଣୁ ଏହାର ପ୍ରତିବାଦରେ ଗ୍ରାମବାସୀ ରାସ୍ତାରୋକ କରିଛନ୍ତି। ଫଳରେ ପାରଳାଖେମୁଣ୍ଡି-ମୋହନା ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଗାଡ଼ିମଟର ଅଟକି ରହିଛି।