ଭିଜିଲାନ୍ସ ଜାଲରେ ଜଳ ସମ୍ପଦ ସହକାରୀ ଯନ୍ତ୍ରୀ

(ଚିତ୍ତରଞ୍ଜନ ସାହୁ)ବରଗଡ: ଆଜି ସକାଳୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜଳ ସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ସହକାରୀ ଯନ୍ତ୍ରୀ ଟଙ୍କଧର ମେହେରଙ୍କର ବାସଘର ଓ କାର୍ୟ୍ୟାଳୟ ସମେତ ୫ଟି ସ୍ଥାନରେ ଖୋଳତାଡ଼ କରାଯାଉଛି ।
ବରଗଡ଼ ଭିଜିଲାନ୍ସ ଡିଏସ୍ପି ବିରେନ୍ଦ୍ର ନାୟକଙ୍କ ନେତୃତ୍ୱରେ ଟଙ୍କଧରଙ୍କର ସର୍ଗିବାହାଲ ବାସଭବନ, କାର୍ୟ୍ୟାଳୟ ଓ ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକ ଘସିଆନସ୍ଥିତ ଶ୍ୱଶୁର ଘରେ ଛାନ୍ଭିନ୍ କରୁଛି ଭିଜିଲାନ୍ସ ଟିମ୍ । ପ୍ରାୟ ୫ଟି ଟିମ୍କୁ ଏହି ଅପରେସନ୍ରେ ନିୟୋଜିତ କରାଯାଇଛି । ବରଗଡ଼, ସମ୍ବଲପୁର, ସୋନପୁର ଓ ବଲାଙ୍ଗୀରରେ ଏକକାଳୀନ ଚଢ଼ଉ କରାଯାଉଛି । ଚଢ଼ାଉ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ସହିତ ବିପୁଳ ପରିମାଣର ସମ୍ପତ୍ତି ଠାବ କରାଯାଇଛି । ଏହା ସହିତ ଏକାଧିକ ବ୍ୟାଙ୍କ ପାସବୁକ୍ ମଧ୍ୟ ଜବତ କରାଯାଇଛି । ସରକାରୀ ବାସଭବନରେ ଗତ ୬ ମାସ ହେଲା ସେ ରହୁ ନ ଥିବା ଯୋଗୁ ସେଠାରେ ତଲାସୀ ହୋଇ ନାହିଁ। ବରଗଡ଼ ଭିଜିଲାନ୍ସ ଡିଏସ୍ପି ବୀରେନ୍ଦ୍ର କୁମାର ନାୟକ, ରାଉରକେଲା ଭିଜିଲାନ୍ସ ଡିଏସ୍ପି ଡି. ସେଠୀ, ସମ୍ବଲପୁର ଭିଜିଲାନ୍ସ ଡିଏସ୍ପି ପରମେଶ୍ବର କିଶାନ ପ୍ରମୁଖ ଏହି ଚଢ଼ାଉରେ ସାମିଲ ଅଛନ୍ତି।