ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଗୋଟିଏ ପରେ ଗୋଟିଏ ସେମି ହାଇସ୍ପିଡ୍ ବନ୍ଦେ ଭାରତ ଏକ୍ସପ୍ରେସ୍ ସେବା ଆରମ୍ଭ କରୁଥିଲେ ହେଁ ଏଥିରେ ଯିବାକୁ ଲୋକମାନେ ପଛଘୁଞ୍ଚା ଦେଉଛନ୍ତି। ଏହି ଟ୍ରେନ୍ ଗୁଡ଼ିକର ଟିକେଟ୍ ମୂଲ୍ୟ ଅଧିକ ହୋଇଥିବାରୁ ଲୋକମାନେ ଅନ୍ୟ ଟ୍ରେନରେ ଯିବାକୁ ବେଶୀ ପସନ୍ଦ କରୁଛନ୍ତି।
କେବଳ ବନ୍ଦେ ଭାରତ ଟ୍ରେନର ଭଡା ଅଧିକ ତାହା ନୁହେଁ ବିଗତ ଦିନ ମାନଙ୍କରେ ଏହି ଟ୍ରେନର ଅନେକ ବିଫଳତା ସମ୍ନାକୁ ଆସିଛି । ବଗି ଭିତରେ ବର୍ଷାପାଣି ପସି ସମ୍ପୁର୍ଣ୍ଣ ଟ୍ରେନ୍ ଉବୁଟୁବୁ ହେବା, ବାସି ଓ ଦୁର୍ଗନ୍ଧ ହେଉଥିବା ଖାଦ୍ୟ ଦେଇ ଯାତ୍ରୀଙ୍କୁ ଅସନ୍ତୁଷ୍ଟ କରିବା ଏବଂ ଖରାପ ସର୍ଭିସ୍ ଆଦି କାରଣ ପାଇଁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଫଳରେ ଯାତ୍ରୀ ମାନେ ଏହି ଟ୍ରେନରେ ଏତେ ଅର୍ଥ ଦେଇ ଯାତ୍ରା କରିବାକୁ ମଙ୍ଗୁ ନାହାନ୍ତି ।
ଅଧିକାଂଶ ବନ୍ଦେ ଭାରତ ଏକ୍ସପ୍ରେସର ସିଟ୍ ଏଥିପାଇଁ ଫାଙ୍କା ରହୁଛି। ଏହି ସମସ୍ୟାକୁ ଦୂର କରିବା ପାଇଁ ଭାରତୀୟ ରେଳବାଇ ସମୀକ୍ଷା ଆରମ୍ଭ କରିଛି । କିଛି ନିର୍ଦ୍ଦିଷ୍ଟ ପଥରେ ବନ୍ଦେ ଭାରତ ଏକ୍ସପ୍ରେସର ଟିକେଟ ମୂଲ୍ୟକୁ ହ୍ରାସ କରିବା ମୁଡରେ ରେଳବାଇ ରହିଥିବା ରିପୋର୍ଟ ପ୍ରକାଶ ପାଇଛି। ଟିକେଟ୍ ମୂଲ୍ୟ ହ୍ରାସ ପାଇଲେ ସମ୍ଭବତଃ ଲୋକମାନେ ଏହି ସେମି ହାଇସ୍ପିଡ ଟ୍ରେନରେ ଯାତ୍ରା କରିବାକୁ ଅଧିକ ପସନ୍ଦ କରିବେ ବୋଲି ରେଳବାଇ ଆଶା ରଖିଛି । କେବଳ ଟିକେଟର ମୂଲ୍ୟ କମ କରିଦେଲେ ଯେ ସବୁ ସମସ୍ୟାର ସମାଧାନ ହୋଇଯିବ ତାହା ନୁହେଁ ବରଂ ଯାତ୍ରୀ ମାନଙ୍କ ପାଇଁ ଟ୍ରେନରେ ଉପଲବ୍ଧ ସମସ୍ତ ସୁବିଧା ସହଯୋଗକୁ ଠିକ ଭାବେ ଯୋଗାଇ ଦେବାକୁ ମଧ୍ୟ ପଡିବ ବୋଲି ମତ ପ୍ରକାଶ ପାଇଛି ।