ଯୁବକଙ୍କ ନିଆରା ପ୍ରୟାସ: ଜୁସ୍ ବିକି ଲୋକଙ୍କୁ କରୁଛନ୍ତି ସଚେତନ

ଭଂଜନଗର: ସକାଳ ହେଲେ ଚଳଚଞ୍ଚଳ ହୋଇଉଠେ ଭଂଜନଗର ବସଷ୍ଟାଣ୍ଡ ନିକଟରେ ଥିବା ଜୁସ୍ ଷ୍ଟଲ୍ । ମାଣ୍ଡିଆ ଜୁସ୍ ସାଙ୍ଗକୁ କଲରା, ନିମ୍ବପତ୍ର, ବେଲପତ୍ର ଓ ବିଟଗାଜର ଜୁସ୍ ପିଇବାକୁ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳେ । କେବଳ ସେତିକି ନୁହେଁ ଲୋକଙ୍କୁ ବିଭିନ୍ନ ମାରାତ୍ମକ ରୋଗରୁ ମୁକ୍ତି ପାଇବା ପାଇଁ ସ୍ୱାସ୍ଥ୍ୟ ସଚେତନତା ସଂକ୍ରାନ୍ତୀୟ ପୋଷ୍ଟର ଟିଏ ମଧ୍ୟ ଟଙ୍ଗା ଯାଇଥାଏ । ଏହା ହେଉଛି ଗଂଜାମ ଜିଲ୍ଲା ଭଂଜନଗର ବସଷ୍ଟାଣ୍ଡ ନିକଟରେ ଥିବା କାଳିଆ ପ୍ରଧାନ ନାମକ ଜଣେ ଉଚ୍ଚ ଶିକ୍ଷିତ ଯୁବକ ଆରମ୍ଭ କରିଥିବା ଜୁସ୍ ଷ୍ଟଲ୍ କଥା ।

ବାପା ଜଣେ ଦିନ ମଜୁରୀଆ । ପରିବାରର ଆର୍ଥିକ ଅବସ୍ଥା ଭଲ ନଥିଲେ ବି ପାଠପଢ଼ି ଉଚ୍ଚ ଶିକ୍ଷିତ ହେଲେ । ଏବେ ସେ ରେଲୱେ ଚାକିରି ଏବଂ ଅନ୍ୟ କିଛି ଇଣ୍ଟରଭ୍ୟୁ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏଥିପାଇଁ ତାଙ୍କର କିଛି ଅର୍ଥ ଆବଶ୍ୟକ ହେଉଥିବାରୁ ପରିବାର ଓ ବାପାଙ୍କ ଉପରେ ବୋଝ ନହୋଇ ନିଜେ କିଛି ରୋଜଗାର କରି ସେହି ଟଙ୍କାରେ ଚାକିରି ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ।

କିଛି ବନ୍ଧୁଙ୍କ ସହଯୋଗ ଏବଂ ପରାମର୍ଶକ୍ରମେ ସେ ଏଭଳି ବ୍ୟବସାୟ ଗତ କିଛିଦିନ ହେଲା ଆରମ୍ଭ କରିଛନ୍ତି । ମାତ୍ର ୧୦ ଟଙ୍କାରେ ଯେକୌଣସି ଜୁସ୍ ପିଇପାରୁଛନ୍ତି ଗ୍ରାହକ । କାଳିଆଙ୍କ ଏଭଳି ଅଭିନବ ପ୍ରୟାସ ପାଇଁ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଯୁବଗୋଷ୍ଠୀଙ୍କ ପାଇଁ ସେ ଉଦାହରଣ ପାଲଟିଛନ୍ତି ।