ଆଜି ବିଶ୍ୱ କ୍ରୀଡ଼ା ମହାକୁମ୍ଭ : ବିନା ଦର୍ଶକର ହେବ ଅଲିମ୍ପିକ୍ସ
ବାରମ୍ବାର କୋଭିଡ୍ ସଂକ୍ରମଣର ତରଙ୍ଗରେ ସାରା ବିଶ୍ୱ ଆଜି ଭୟଭୀତ ଅବସ୍ଥାରେ ରହିଥିବା ବେଳେ ଜାପାନର ରାଜଧାନୀ ଟୋକିଓ ସହରରେ ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ ।
(ଦିଲ୍ଲୀ) : ବାରମ୍ବାର କୋଭିଡ୍ ସଂକ୍ରମଣର ତରଙ୍ଗରେ ସାରା ବିଶ୍ୱ ଆଜି ଭୟଭୀତ ଅବସ୍ଥାରେ ରହିଥିବା ବେଳେ ଜାପାନର ରାଜଧାନୀ ଟୋକିଓ ସହରରେ ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସ । ଭାରତୀୟ ସମୟ ଅପରାହ୍ଣ ୪.୩୦ ମିନିଟରୁ ଟୋକିଓର ଦ ନ୍ୟାସନାଲ ଷ୍ଟାଡିୟମରେ ଜାପାନର ସମ୍ରାଟ ନାରୁହିଟୋ କ୍ରୀଡ଼ାର ଶୁଭାରମ୍ଭ ଘୋଷଣା କରିବେ। ମହାମାରୀ ପ୍ରଭାବିତ କ୍ରୀଡ଼ା ବିନା ଦର୍ଶକରେ ଆୟୋଜିତ ହେବ। ଦର୍ଶକ କେବଳ ଟିଭି ପରଦାରେ ହିଁ ଉତ୍ସବକୁ ଦେଖି ପାରିବେ ।
ସୂଚନାନୁଯାୟୀ , ଭାରତୀୟ ଦଳର ମାତ୍ର ୨୦ ଜଣ କ୍ରୀଡ଼ାବିତ ଓ ୬ ଜଣ ଅଫିସିଆଲ ଉତ୍ସବରେ ସାମିଲ ହେବେ । ପ୍ରତି ଚାରି ବର୍ଷରେ ଆୟୋଜିତ ହେଉଥିବା ଅଲିମ୍ପିକ୍ସରେ ଉଦ୍ଘାଟନୀ ଓ ଉଦ୍ଯାପନୀ ଉତ୍ସବ ହିଁ କ୍ରୀଡ଼ାର ଗୁରୁତ୍ୱପୂର୍ଣ୍ଣ ଅଂଶ । ଆୟୋଜକ ଦେଶ ସର୍ବଦା ବିଶ୍ୱକୁ କିଛି ନୂଆ ବାର୍ତ୍ତା ଦେବା ସହ ନିଜର ଜାତୀୟ ଅସ୍ମିତାକୁ ବିଶ୍ୱଦରବାରରେ ଉପସ୍ଥାପିତ କରିବାର ସୁଯୋଗ ପାଇଥାନ୍ତି । ମହାମାରୀ ସତ୍ତେ୍ୱ ଜାପାନ ସରକାର ଅଲିମ୍ପିକ୍ସର ଉଦ୍ଘାଟନୀ ଉତ୍ସବକୁ ସ୍ମରଣୀୟ କରିବା ନେଇ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି । ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଆତସବାଜୀରେ ସାରା ଟୋକିଓ ଝଲସି ଉଠିବ । ଜାପାନର କଳା, ସଂସ୍କୃତି ଓ ଇତିହାସ ଉତ୍ସବର ମୁଖ୍ୟ ଆକର୍ଷଣ ସାଜିବ। ଜାପାନର ଜାତୀୟ ସଙ୍ଗୀତଗାନ ପରେ ସାଂକେତିକ କପୋତ ଉଡ଼ାଯିବ । ଏହାପରେ ଅଲିମ୍ପିକ୍ସ ପତାକା ଉତ୍ତୋଳନ ଓ ସଙ୍ଗୀତ ଗାନ ହେବ ।