ଭୁବନେଶ୍ବର: ଧରା ଅବତରଣ କରିଛନ୍ତି ଜଗତଜନନୀ ମା’ଦୁର୍ଗା। ଏନେଇ ଚଳଚଞ୍ଚଳ ଗାଁଠୁ ସହର। ଶକ୍ତିପୀଠରେ ଆଜି ଦଶହରା ପୂଜା ଚାଲିଥିବା ବେଳେ ମଣ୍ଡପରେ ଆଜି ମାଆଙ୍କର ମହା ନବମୀ ପୂଜା । ମାଆଙ୍କ ଆବାହନରେ କମ୍ପୁଛି ପୂଜା ମଣ୍ଡପ । ଘଣ୍ଟଘଣ୍ଟା, ଶଙ୍ଖଧ୍ୱନି ଓ ବ୍ରାହ୍ମଣଙ୍କ ମନ୍ତ୍ରପାଠରେ କମ୍ପୁଛି ମଣ୍ଡପ। ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳିଛି ।
ଅନ୍ୟପଟେ ନବମୀରେ କୁମାରୀ ପୂଜା କରିବାର ବିଧି ରହିଛି । ତେଣୁ କିଛି ମଣ୍ଡପରେ କୁମାରୀ ପୂଜା, ଗୋ-ପୂଜନ କରାଯାଇଛି। ସେହିଭଳି ବଙ୍ଗୀୟ ପରମ୍ପରା ଅନୁସାରେ କେତେକ ମଣ୍ଡପରେ ସିନ୍ଦୂର ଖେଳ ମଧ୍ୟ ହେବାର କାର୍ଯ୍ୟକ୍ରମ ରହିଛି । ମା’ଙ୍କୁ ଝିଅ ଭାବେ ପୂଜା କରିବା ସହ ବଙ୍ଗୀୟ ଢାଞ୍ଚାରେ ସିନ୍ଦୂର ଖେଳ କରାଯାଇଥାଏ । କେତେକ ମଣ୍ଡପରେ ମାଆଙ୍କ ପାଖରେ ଲାଗିହେବ ମାଛ ଭୋଗ । ସଧବା ମହିଳା ବେଶରେ ମାତା ଦୁର୍ଗାକୁ ଝିଅ ରୂପେ ପାଇଲା ପରେ ଆଜି ଘରୁ ବିଦା କରାଯିବାର ପରମ୍ପରା ରହିଛି ।