ଅତ୍ୟାଧୁନିକ ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟାଳୟର ଗୋଟିଏ ବିଲ୍ଡିଂରେ ରହିବ ଏସଆରସି, ଅଗ୍ନିଶମ, ପାଣିପାଗ, ODRAF, NDRF, ଜଙ୍ଗଲ ବିଭାଗ

ଭୁବନେଶ୍ଵର:- ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ସରକାରଙ୍କ ବଡ଼ ଯୋଜନା । ଭୁବନେଶ୍ଵରରେ ଅତ୍ୟାଧୁନିକ ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟାଳୟ ଖୋଲିବେ ସରକାର । ଅତ୍ୟାଧୁନିକ ବିପର୍ଯ୍ୟୟ ପ୍ରଶମନ କାର୍ଯ୍ୟାଳୟର ଗୋଟିଏ ବିଲ୍ଡିଂରେ ରହିବ ଏସଆରସି, ଅଗ୍ନିଶମ, ପାଣିପାଗ, ODRAF, NDRF, ଜଙ୍ଗଲ ବିଭାଗର କାର୍ଯ୍ୟାଳୟ । ସମସ୍ତ କାର୍ଯ୍ୟାଳୟ ଗୋଟିଏ ବିଲ୍ଡିଂରେ ରହିବ । ଏଥିପାଇଁ ୨୦୦ କୋଟି ଟଙ୍କା ମଞ୍ଜୁର କରାଯାଇ ଥିବା ବେଳେ ମଲ୍ଟି ଷ୍ଟରେଡ ଏବଂ ଭୂତଳ ବିଲ୍ଡିଙ୍ଗ ନିର୍ମାଣ ହେବ । ଏଥିପାଇଁ ସଚିବାଳୟ ନିକଟରେ ଜମି ଚିହ୍ନଟ କରାଯାଇଛି । ବିଲ୍ଡିଂରେ ଅତ୍ୟାଧୁନିକ କାରିଗରୀ କୌଶଳର ବ୍ୟବସ୍ଥା କରାଯିବ । କାର୍ଯ୍ୟାଳୟ ନିର୍ମାଣ ପାଇଁ ୨ ବର୍ଷ ସମୟ ଲାଗିବ । ବିପର୍ଯ୍ୟୟ ସମୟରେ କାମ କରୁଥିବା ସଂସ୍ଥା ଗୋଟିଏ ଛାତ ତଳେ ରହି ସବୁ ବିଭାଗ ନିଜ ଭିତରେ ସହଯୋଗ ରକ୍ଷା କରି କାମ କରିବେ । ସବୁ ଜିଲ୍ଲାକୁ ଏହି ଭବନରୁ ଯେମିତି ଯୋଡ଼ି ହେବ ସେ ନେଇ ବ୍ୟବସ୍ଥା କରାଯିବ । ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ସହ ଆଲୋଚନା କରାଯାଇଥିବା ସମ୍ପର୍କରେ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।