ରାଜ୍ୟ ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳବଦଳ । ବରିଷ୍ଠ OAS ସ୍ତରରେ ୪୨ ଜଣ ଅଧିକାରୀଙ୍କ ବଦଳି ସହ ନୂତନ ନିଯୁକ୍ତି କରିଛନ୍ତି ରାଜ୍ୟ ସରକାର । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହୋଇଛି ସରକାରୀ ବିଜ୍ଞପ୍ତି ।

ବିଜ୍ଞପ୍ତି ଅନୁଯାୟୀ, ବିଧାନ ଚନ୍ଦ୍ର ରାୟଙ୍କୁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ନିଯୁକ୍ତି ମିଳିଛି । ସେହିପରି ସରୋଜ ରାଉତଙ୍କୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ଶାସନ ସଚିବ ଦାୟିତ୍ୱ ମିଳିଥିବା ବେଳେ, ପୂର୍ଣ୍ଣଚନ୍ଦ୍ର ଦୋଳାଇଙ୍କୁ ପରିବହନ ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ବଦଳି କରାଯାଇଛି । ଅନ୍ୟପଟେ ସସ୍ମିତା ସାହୁଙ୍କୁ ଅବକାରୀ ବିଭାଗର ଅତିରିକ୍ତ ସଚିବ ଦାୟିତ୍ୱ ଦିଆଯାଇଛି । ଅନିରୁଦ୍ଧ ପ୍ରଧାନଙ୍କୁ ସୁବର୍ଣ୍ଣପୁରର ଅତିରିକ୍ତ ଜିଲ୍ଲାପାଳ ବା ଏଡିଏମ୍ ଭାବେ ନିଯୁକ୍ତି ମିଳିଥିବା ବେଳେ, ପୁଷ୍ପକ ପ୍ରଧାନଙ୍କୁ କେନ୍ଦୁଝରର ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ଦିଆଯାଇଛି ।

ତେବେ କେବଳ ଏହି ୬ ଜଣ ନୁହନ୍ତି, ଅନ୍ୟ ୩୬ ଜଣ ଅଧିକାରୀଙ୍କର ମଧ୍ୟ ବଦଳି ଓ ନୂତନ ନିଯୁକ୍ତି ହୋଇଛି । ମୋଟ ୪୨ ଜଣ ଅଧିକାରୀଙ୍କ ନୂଆ ଦାୟିତ୍ୱ ଏବଂ କର୍ମସ୍ଥଳୀ ସମ୍ପର୍କରେ ସବିଶେଷ ତଥ୍ୟ ସରକାରୀ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ରାଜ୍ୟର ବିଭିନ୍ନ ବିଭାଗ ଓ ଜିଲ୍ଲାସ୍ତରରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଦୃଢ଼ ଓ ଗତିଶୀଳ କରିବା ଦିଗରେ ଏହି ଅଦଳବଦଳ ସହାୟକ ହେବ ।
