ନବରଙ୍ଗପୁର/ ମନୋଜ ଦାଶ: ଅନ୍ଧ ବିଶ୍ବାସର କରୁଣ ପରିଣତି । ଗୁଣି ଗାରେଡ଼ି ସନ୍ଦେହରେ ଘଟିଛି ହତ୍ୟାକାଣ୍ଡ । ଭାଇକୁ ହତ୍ୟା କଲା ଭାଇ। ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ଦର୍ଗାଗୁଡ଼ାରେ। ସମ୍ପର୍କୀୟ ଭାଈ ଓ ତିନି ପୁତୁରାଙ୍କ ଟାଙ୍ଗିଆ ଚୋଟରେ ହତ୍ୟା କରିଛି ଭାଇ ଅର୍ଜୁନ ପୂଜାରୀ । ଘଟଣା ସ୍ଥଳରେ ଭାଇ ସୋମନାଥ ପୂଜାରୀଙ୍କ ମୃତ୍ୟୁ ହୋଇଥିବାବେଳେ ଭାଉଜ ରୁପନ୍ତି ପୂଜାରୀ ଗୁରୁତର ହୋଇ ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ।
ଭାଇକୁ ହତ୍ୟା ପରେ ଟାଙ୍ଗିଆ ସହ ହତ୍ୟାକାରୀ ଓ ତିନି ପୁତୁରା ଉମରକୋଟ ଥାନାରେ ଆତ୍ମ ସମର୍ପଣ କରିଛନ୍ତି । ଗୁଣି ଗାରେଡି ଘଟଣାକୁ ନେଇପରିବାର ମଧ୍ୟରେ ପୂର୍ବରୁ ତିକ୍ତତା ଲାଗି ରହିଥିଲା । ସୋମନାଥ ପୂଜାରୀ ଓ ତାଙ୍କ ସ୍ତ୍ରୀ ରୁପନ୍ତି ପୂଜାରୀ ଧାନ ବିଲରୁ ଘାସ ବଛା କାମ ସାରି ଫେରୁଥିବା ସମୟରେ ଏହି ଚାରି ଅଭିଯୁକ୍ତ ମାନେ ପୂର୍ବରୁ ଜମି ନିକଟରେ ଛକି ରହିଥିଲେ । ପ୍ରଥମେ ସୋମନାଥକୁ ପଥରରେ ଆକ୍ରମଣ କରିଥିଲେ ।
ସୋମନାଥ ସେଠାରେ ପଡି ଯିବାରୁ ତାଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ସୋମନାଥଙ୍କ ସ୍ତ୍ରୀ ରୁପନ୍ତି ସୋମନାଥ ଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ସମୟରେ ତାଙ୍କୁ ବି ଆକ୍ରମଣ କରିଥିଲେ । ସୋମନାଥ ଜମିରେ ପଡ଼ି ଛଟପଟ ଦେଖି କିଛି ବ୍ୟକ୍ତି ସୋମନାଥ ଙ୍କୁ ମେଡିକାଲ ନେଇଥିଲେ କିନ୍ତୁ ସେତେବେଳେ ତାଙ୍କ ମୃତ୍ୟୁ ଘଟିଥିଲା । ମୃତକ ଓ ହତ୍ୟାକାରୀ ସମସ୍ତେ ଗୋଟିଏ ବଂଶ ର ହୋଇଥିବା ବେଳେ ପୂର୍ବରୁ ଅନ୍ୟ ପାଞ୍ଚ ଜଣଙ୍କ ଗୁଣି ଗାରେଡ଼ି ରେ ମୃତ୍ୟୁ ହୋଇଥିବା ପ୍ରକାଶ କରିଛନ୍ତି । ଏନେଇ ଉମରକୋଟ ଥାନା ରେ ଏକ ମାମଲା ରୁଜ୍ଜୁ କରାଯାଇଛି । ପୋଲିସ ଘଟଣା ର ତଦନ୍ତ ଆରମ୍ଭ କରିଛି।