ଛପରା: ତିନିି ସନ୍ତାନ ଥିବା ଜଣାପଡ଼ିଲା ପରେ ଗଲା ମେୟର ପଦ । ନିୟମ ଭାଙ୍ଗି ନାମାଙ୍କନ ସମୟରେ ସତ୍ୟପାଠରେ ୩ ଟି ପିଲା ଥିବା କଥା ଲୁଚାଇଥିବା ଯାଞ୍ଚରୁ ଜଣାପଡିବା ପରେ ମେୟର ପଦରୁ ବିଦାହେଲେ । ଏଭଳି ଘଟଣା ଘଟିଛି ବିହାର ଛପରା ଜିଲ୍ଲାର ମେୟର ରାକ୍ଷୀ ଗୁପ୍ତାଙ୍କ ସହ ।
ସୂଚନା ମୁତାବକ, ନାମାଙ୍କନ ପତ୍ର ଦାଖଲ ସମୟରେ ରାକ୍ଷୀ ଯାହା ପ୍ରମାଣପତ୍ର ଦାଖଲ କରିଥିଲେ ତାକୁ ଚ୍ୟାଲେଞ୍ଜ କରି ପୂର୍ବ ମେୟର ସୁନୀତା ଦେବୀ ନିର୍ବାଚନ ଆୟୋଗରେ ମାମଲା ଦାଏର କରିଥିଲେ । ଏହାର ଯାଞ୍ଚ ପରେ ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିଛି । ରାକ୍ଷୀ ଦାଖଲ କରିଥିବା ସତ୍ୟପାଠ ଭୁଲ ବୋଲି ପ୍ରମାଣିତ ହେବା ପରେ ମେୟର ପଦ ହରାଇଛନ୍ତି ରାକ୍ଷୀ ଗୁପ୍ତା ।
ସତ୍ୟପାଠରେ ତାଙ୍କର ଦୁଇଟି ପିଲା ଅଛନ୍ତି ବୋଲି ଦର୍ଶାଇଥିଲେ ରାକ୍ଷୀ । କାରଣ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିୟମ ଅନୁସାରେ ୨୦୦୮ ମସିହା ଏପ୍ରିଲ ୪ ତାରିଖ ପରେ ଯାହାର ୨ରୁ ଅଧିକ ସନ୍ତାନ ହେବେ ତାଙ୍କୁ ନିର୍ବାଚନ ପାଇଁ ଯୋଗ୍ୟ ବୋଲି କୁହାଯାଇପାରିବ ନାହିଁ । ସେମାନେ ନିର୍ବାଚନ ଲଢିପାରିବେ ନାହିଁ । ସେହି କାରଣରୁ ରାକ୍ଷୀ ତାଙ୍କର ତୃତୀୟ ସନ୍ତାନକୁ ସମ୍ପର୍କୀୟଙ୍କ ଘରେ ଲୁଚାଇ ରଖିଥିବା ଜଣାପଡିଛି । କିନ୍ତୁ ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିବାକୁ ଯାଇ ନିଜର ତୃତୀୟ ସନ୍ତାନକୁ ସମ୍ପର୍କୀୟଙ୍କୁ ପୋଷ୍ୟ ସନ୍ତାନ ଭାବେ ଦାନ କରିଥିବା କହିଛନ୍ତି ରାକ୍ଷୀ । ହେଲେ ନିଜର ବିଚାର ଶୁଣାଇ ପଦକ୍ଷେପ ମଧ୍ୟ ନେଇସାରିଛନ୍ତି ନିର୍ବାଚନ ଆୟୋଗ ।