ପଞ୍ଚାୟତ ନିର୍ବାଚନ: ୪୮ ଦିନ ପୂର୍ବରୁ ମଦ ଦୋକାନ ବନ୍ଦ କରିବା ଆବଶ୍ୟକ !

ଚାଲିଛି ଚୋରା ମଦ ବିକ୍ରି

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ଏବେ ରାଜନୈତିକ ମାହୋଲ ବେଶ ସରଗରମ ହେବାରେ ଲାଗିଛି। ଆଉ ଅଳ୍ପ କେଇଟା ଦିନ ଗଲେ ପଞ୍ଚାୟତ ନିର୍ବାଚନ । ତେଣୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା । ମଦ ମୁକ୍ତ ପଞ୍ଚାୟତ ନିର୍ବାଚନ ପାଇଁ ୪୮ ଘଣ୍ଟା ପୂର୍ବରୁ ମଦ ଦୋକାନ ବନ୍ଦ କରିବାକୁ ନିର୍ଦେଶ ଦିଆଯାଇଥିଲା । କିନ୍ତୁ ୪୮ ଘଣ୍ଟା ପୂର୍ବରୁ ନୁହେଁ ବରଂ ୪୮ ଦିନ ପୂର୍ବରୁ ମଦ ଦୋକାନ ବନ୍ଦ କରିବାର ଆବଶ୍ୟକତା ଥିଲା । ଯଦି ହୋଇନାହିଁ ତେବେ ଓଡ଼ିଶାର ରାଜ୍ୟ ନିର୍ବାଚନ ଆୟୋଗ ଓ ରାଜ୍ୟ ଅବକାରୀ ବିଭାଗକୁ ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଓଡ଼ିଶା ଖଦି ଓ ଗ୍ରାମଦ୍ୟୋଗ ବୋର୍ଡ଼ର ପୂର୍ବତନ ସଭାପତି ତେଜେଶ୍ୱର ପରିଡ଼ା ନିବେଦନ କରିଛନ୍ତି । ଅତି କମରେ ନିର୍ବାଚନର ୧୫ ଦିନ ପୂର୍ବରୁ ରାଜ୍ୟର ସମସ୍ତ ମଦ ଦୋକାନ ବନ୍ଦ କରିବାକୁ ନିର୍ଦେଶ ଦେବାକୁ ସେ ଅନୁରୋଧ କରିଛନ୍ତି ।

ଅନ୍ୟପଟେ ସେ କହିଛନ୍ତି ଯେ ଚୋରା ମଦ ବିକ୍ରି ଏବେ ପ୍ରତ୍ୟେକ ଗାଁରେ ଚାଲିଛି । ସମସ୍ତେ ଜାଣନ୍ତି ମାତ୍ର ଦୃଢ଼ କାର୍ଯ୍ୟାନୁଷ୍ଠାନ କରାଯାଉନାହିଁ । ଅବକାରୀ ବିଭାଗ, ପୋଲିସ ବିଭାଗ ଓ ସ୍ଥାନୀୟ ନେତାମାନେ ଜାଣିଛନ୍ତି କେଉଁ ଗାଁରେ କିଏ ଚୋରା ମଦ ବିକ୍ରି କରୁଛି । ସେହିଭଳି ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟକୁ ଲାଗିଥିବା ଓଡ଼ିଶାର ଅଧିକାଂଶ ଅଂଚଳରେ ଅନ୍ୟ ରାଜ୍ୟରୁ ମଦର ସୁଅ ଛୁଟୁଛି । କେବଳ ମୁଖ୍ୟ ରାସ୍ତା ନୁହେଁ, ଗଳି ରାସ୍ତା, ଜଙ୍ଗଲ ରାସ୍ତାରେ ମଦ ପ୍ରଚୁର ପରିମାଣରେ ଓଡ଼ିଶା ଭିତରକୁ ଆସୁଛି । ମଦ ବାଣ୍ଟିବା ପାଇଁ ପୂର୍ବରୁ ମଦ କିଣି ବହୁ ପରିମାଣରେ ମଦ ପେଟି ସବୁ ବିଭିନ୍ନ ଗୁପ୍ତ ସ୍ଥାନରେ ଠୁଳ କରାସରିଲାଣି ବା ଚାଲିଛି । କେବଳ ମଦମୁକ୍ତ ନିର୍ବାଚନ ପାଇଁ ନିଷ୍ପତ୍ତି ଓ ଘୋଷଣା ନୁହେଁ ବରଂ ଦୃଢ଼ ଇଚ୍ଛାଶକ୍ତି, ଆନ୍ତରିକତା ଓ ସମସ୍ତ ଏହି ସମ୍ପର୍କିତ ସରକାରୀ ବିଭାଗ, ରାଜନୈତିକ ଦଳ ଓ ନେତା, ଜନ ସାଧାରଣ ମାନଙ୍କର ସକ୍ରିୟ ତଥା ସଂଗଠିତ ଉପାୟରେ ମିଳିତ ପ୍ରୟାସ ଦରକାର ବୋଲି ସେ କହିଛନ୍ତି ।