ନୂଆଦିଲ୍ଲୀ: ଦଳୀୟ ସାଂସଦ ମାନସ ମଙ୍ଗରାଜ ଧନ୍ୟବାଦ ପ୍ରସ୍ତାବକୁ ସମର୍ଥନ କରି ମିଳିତ ସଂସଦ ଅଧିବେଶନର ପ୍ରସଙ୍ଗ ଉଠାଇଛନ୍ତି । ସେ କହିଛନ୍ତି କି, ଦେଶରେ ବିକାଶରେ ଭିତ୍ତିଭୂମି ଖୁବ ଜରୁରୀ । ଓଡ଼ିଶା ପରି ଦ୍ରୁତ ଅଭିବୃଦ୍ଧିଶୀଳ ରାଜ୍ୟର ଉନ୍ନତି ପାଇଁ କେନ୍ଦ୍ରର ସହଯୋଗ ଓ ସମର୍ଥନ ଆବଶ୍ୟକ । ଏଭଳି ପରିସ୍ଥିତିରେ କୃଷି, ଶିଳ୍ପ ଓ ସେବା କ୍ଷେତ୍ର ସହ ଜାତୀୟ ରାଜପଥ, ରେଳପଥ, ମୋବାଇଲ ସଂଯୋଗୀକରଣ, ଡିଜିଟାଲ ସଂଯୋଗୀକରଣ, ବ୍ୟାଙ୍କିଂ କ୍ଷେତ୍ରରେ ବିକାଶ ପାଇଁ କେନ୍ଦ୍ରର ସହଯୋଗ ଜରୁରୀ । ସେଥିଲାଗି ଲହି ସବୁ ସମର୍ଥନ ଯୋଗାଇ ଦେଲେ ଓଡିଶାର ଆହୁରି ମଧ୍ୟ ବିକାଶ ହେବ । କଟକ ଭୁବନେଶ୍ବରରେ ଜାତୀୟ ରାଜପଥରେ ଦୀର୍ଘ ବର୍ଷ ହେଲା କାମ ଚାଲୁ ରହିଛି । ଏପରିକି ରାଜ୍ୟ ଅନେକ ଜାତୀୟ ରାଜପଥର ଅବସ୍ଥା ଶୋଚନୀୟ ହୋଇପଡିଛି । ଏହାର ଉନ୍ନତି ପାଇଁ କେନ୍ଦ୍ର ତତ୍ପର ହେବା ଆବଶ୍ୟକ ।
ଉପକୂଳ ରାଜପଥ ଏବେ ଫାଇଲ ତଳେ ଚାପି ହୋଇରହିଛି । ଗୋଟିଏ ହେଲେ ବି ଇଟା ପଡିନାହିଁ । ରେଳବାଇ କ୍ଷେତ୍ରରେ ଓଡ଼ିଶା ବୈମାତୃକ ମନୋଭାବର ଶିକାର ହୋଇଚାଲିଛି । ରାଜ୍ୟ ସରକାର ମାଗଣା ଜମି ପ୍ରଦାନ ସହ ନିର୍ମାଣ କାମର ୫୦ ପ୍ରତିଶତ ନିଜେ ବହନ କରୁଛନ୍ତି । ତା ସତ୍ତ୍ବେ ମଧ୍ୟ ଜୟପୁର-ନବରଙ୍ଗପୁର, ଜୟପୁର-ମାଲକାନଗିରି ପ୍ରକଳ୍ପ ହୋଇପାରୁନି । ସେହିପରି ପାରାଦୀପ-ହରିଦାସପୁର ପ୍ରକଳ୍ପ ମାଲବାହୀ ଟ୍ରେନ ଯାଉଛି । ହେଲେ ଯାତ୍ରୀବାହୀ ପାଇଁ ଅନୁମତି ମିଳିପାରୁନି । ଫଳରେ କେନ୍ଦ୍ରାପଡ଼ାବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ଘୁଞ୍ଚି ଘୁଞ୍ଚି ଚାଲିଛି । ପୁରୀ-କୋଣାର୍କ ୩୫ କିଲୋମିଟର ରେଳପଥ ପାଇଁ ଜମି ଓ ନିର୍ମାଣ ଖର୍ଚ୍ଚ ବାବଦକୁ ୫୦ ପ୍ରତିଶତ ବହନ କରିବାକୁ ପ୍ରସ୍ତାବ ଦେଇଥିଲେ ମଧ୍ୟ ଏପର୍ୟ୍ୟନ୍ତ ରେଳବାଇର କିଛି ପ୍ରତିକ୍ରିୟା ଆସୁନି । ଏସବୁ କ୍ଷେତ୍ରରେ କେନ୍ଦ୍ରର ସହଯୋଗ ଲୋଡିଛନ୍ତି ସାଂସଦ ମାନସ ମଙ୍ଗରାଜ ।