ଭୁବନେଶ୍ୱର : ଆସନ୍ତା କାଲି ଓଡିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ’ ପାଇଁ ଟ୍ରାଫିକ୍ କଟ କଣା କଲା କମିଶନରେଟ୍ ପୁଲିସ। ମେ’୧୦ରେ ଅପରାହ୍ଣ ୨ଟାରୁ ରୋଡ୍ ସୋ’ ସରିବା ଯାଏଁ ଗାଡି ଚଳାଚଳ ମନା। ମାଷ୍ଟର କ୍ୟାଣ୍ଟିନରୁ ବାଣୀବିହାର ରାସ୍ତାରେ ଗାଡି ଚଳାଚଳ ମନା। ଏହାସହ ଜନପଥକୁ ସଂଯୋଗ କରୁଥିବା ସବୁ ଗଳିରୁ ଗାଡି ରାସ୍ତାକୁ ଛଡାଯିବନି ବୋଲି କମିଶନରେଟ୍ ପୁଲିସ ପକ୍ଷରୁ ସୂଚନା ମିଳିଛି।
ପ୍ରାୟ ୧ ଘଣ୍ଟା ଧରି ପ୍ରଧାନମନ୍ତ୍ରୀଙ୍କର ରୋଡ୍ ଶୋ କାର୍ଯ୍ୟକ୍ରମ ଚାଲିବ। ଏହି ସମୟରେ ନୋ ଫ୍ଲାଇଂ ଜୋନ୍ କରାଯିବ। ବମ୍ ସ୍କ୍ଵାର୍ଡ ଏବଂ ଡଗ୍ ସ୍କ୍ଵାର୍ଡ ମୁତୟନ ରହିବେ। ୫ ଡେପୁଟି କମିଶନର , ୧୦ ଅତିରିକ୍ତ ଡେପୁଟି କମିଶନର, ୨୭ ଏସିପି, ୪୧ ଇନ୍ସପେକ୍ଟର , ୫୫ ପ୍ଲାଟୁନ୍ ଫୋର୍ସ ଏବଂ ୩ଟି ଆଣ୍ଟି ଟେରର ଫୋର୍ସ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ଵରେ ରହିବେ। ପରିବହନ ବିଭାଗ , ସ୍ଵାସ୍ଥ୍ୟ ବିଭାଗ ଏବଂ ବିଏମସିର ଅଧିକାରୀମାନେ ସୁରକ୍ଷା ବ୍ୟବସ୍ଥାରେ ସାମିଲ ହୋଇଛନ୍ତି। ବିମାନ ବନ୍ଦରରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।