ଭୁବନେଶ୍ୱର: ବିଦ୍ୟୁତ ବିତରଣ କମ୍ପାନୀଙ୍କ କାର୍ୟ୍ୟଧାରାକୁ ସମୀକ୍ଷା କରିବେ ବିଦ୍ୟୁତ୍ ନିୟାମକ ଆୟୋଗ । ବିଦ୍ୟୁତ ନିୟାମକ ଆୟୋଗଙ୍କ ସର୍ତ୍ତକୁ ମାନିବା ସହ ଉପଭୋକ୍ତାଙ୍କୁ ଉତ୍ତମ ସେବା ପ୍ରଦାନ କରିବା ଦିଗରେ କାର୍ୟ୍ୟଧାରାକୁ ସମୀକ୍ଷା କରିବେ ଆୟୋଗ । ଆଜିଠୁ ୪ଦିନ ଧରି ଆୟୋଗ ସମୀକ୍ଷା କରିବେ । ପ୍ରଥମ ଦିନରେ ଟାଟା କମ୍ପାନୀର କାର୍ୟ୍ୟଧାରାକୁ ନେଇ ସମୀକ୍ଷା କରାଯିବ । ନିୟମ ଅନୁସାରେ ବିଦ୍ୟୁତ ବିତରଣ କମ୍ପାନୀ ଅଧିଗ୍ରହଣ କରିବା ଦିନଠାରୁ ୫ବର୍ଷ ମଧ୍ୟରେ ଭିତ୍ତିଭୂମିର ଉନ୍ନତି ପାଇଁ ଅର୍ଥ ବିନିଯୋଗ କରିବେ ଯାହାଦ୍ୱାରା ବିଦ୍ୟୁତ ଉପଭୋକ୍ତାମାନଙ୍କୁ ଉନ୍ନତମାନର ସେବା ମିଳିପାରିବ ।
ଏ ପର୍ୟ୍ୟନ୍ତ, ବିଦ୍ୟୁତ ବିତରଣ କମ୍ପାନୀମାନେ ଆବଶ୍ୟକ କରୁଥିବା ୫ ହଜାର ୬୪୦ କୋଟି ଟଙ୍କାରୁ ୧୯୦୯ କୋଟି ବିନିଯୋଗ କରିସାରିଲେଣି । ଆୟୋଗ ବିଦ୍ୟୁତ ବିତରଣ ଶୁଳ୍କ ସମ୍ବନ୍ଧୀୟ ଅଧିନିୟମ ୨୦୨୨ ଜାରି କରିଛନ୍ତି । ଭିତ୍ତିଭୂମିର ଉନ୍ନତି ପାଇଁ ଆୟୋଗ ଅନୁମୋଦନ କରିଥିବା ଅର୍ଥକୁ କିଭଳି ବିନିଯୋଗ କରାଯାଉଛି ତାହାର ସମୀକ୍ଷା କରାଯିବ । ବରିଷ୍ଠ ଅଧିକାରୀ ପ୍ରତିମାସରେ ବିଦ୍ୟୁତ୍ ବିତରଣ କମ୍ପାନୀମାନଙ୍କର କାର୍ୟ୍ୟଧାରା ଓ ଉପଭୋକ୍ତାଙ୍କୁ ଦିଆଯାଉଥିବା ସେବା ସମ୍ପର୍କରେ ଅନୁଶୀଳନ କରିବେ ।