ବାହାନଗା ଟ୍ରେନ୍ ଟ୍ରାଜେଡି; ସରକାରୀ ଚାକିରି ଲୋଭରେ ମୃତ ମା’କୁ ଆଉ ଥରେ ମାରିଦେଲା ପୁଅ

ନୂଆଦିଲ୍ଲୀ: ବାହାନଗା ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ପରେ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି । ଦୁର୍ଘଟଣା ଜନିତ କ୍ଷତିପୂରଣ ପାଇବା ପାଇଁ କିଛି ଅସାଧୁ ଲୋକ ମିଛ କହି ଧରାପଡ଼ିବା ଘଟଣା ବାରମ୍ବାର ଦେଖିବାକୁ ମିଳୁଛି । ତେବେ ସରକାରୀ ଚାକିରି ପାଇବା ପାଇଁ ଜଣେ ଯୁବକ ମିଛ କହି ଧରାପଡ଼ିବା ଘଟଣାଟି ସମସ୍ତଙ୍କୁ ଚକିତ କରିଛି । ସରକାରି ଚାକିରି ପାଇବା ଲୋଭରେ ମୃତ ମା’କୁ ଆଉ ଥରେ ମାରି ଦେଲେ ଯୁବକ । କହିଲେ ବାହାନଗା ରେଳ ଦୁର୍ଘଟଣାରେ ତାଙ୍କ ମାଆର ମୃତ୍ୟୁ ହୋଇଛି । କ୍ଷତିପୂରଣ ଜାଗାରେ ଦରକାର ଚାକିରି । ତେବେ ସନ୍ଦେହ ହେବାରୁ ରେଳବାଇ ଅଧିକାରୀମାନେ ତାଙ୍କୁ ଗୁଡ଼େଇ ତୁଡ଼େଇ ପଚାରିବା ପରେ ଘଟଣା ମିଛ ବୋଲି ଜଣାପଡ଼ିଲା । ଯୁବକ ଜଣକ ବିହାର ପାଟନା ଅଞ୍ଚଳର । ତାଙ୍କ ନାଁ ସଞ୍ଜୟ କୁମାର । ପ୍ରକୃତରେ ତାଙ୍କ ମାଆଙ୍କର ୨୦୧୮ରେ ମୃତ୍ୟୁ ହୋଇଛି ।

ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ତାଙ୍କ ମୁଣ୍ଡକୁ ସରକାରୀ ଚାକିରି କଥା ଯୁଟିଥିଲା । ତେଣୁ ସେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ଚାକିରି କଥା କହିବା ପାଇଁ ଦିଲ୍ଲୀ ଯାଇଥିଲେ । ସଞ୍ଜୟ ରେଲ ଭବନରେ ପହଞ୍ଚିବା ପରେ ତାଙ୍କୁ ରେଳବାଇ ଅଧିକାରୀମାନେ ବିଭିନ୍ନ ପ୍ରଶ୍ନ କରିଥିଲେ । ସେ କଥା ଏପାଖ ସେପାଖ କରିବା ପରେ ତାଙ୍କ ମିଛ ଧରାପଡ଼ି ଯାଇଥିଲା । ତେବେ ଅନେକ ଦିନ ଧରି ବେକାର ରହିବା ପରେ ଏଭଳି କରିଥିବା ସଞ୍ଜୟ କହିଛନ୍ତି । ଏହି ଘଟଣାକୁ ନେଇ ରେଳ ଅଧିକାରୀମାନେ ଅଧିକ ତଦନ୍ତ କରୁଛନ୍ତି ।