ରାଜ୍ୟରେ ୫ ତାରିଖରୁ କିଛି ମାତ୍ରାରେ ବଢ଼ିପାରେ ବର୍ଷାର ପରିମାଣ

ଭୁବନେଶ୍ୱର :ଗୋଟିଏ ସପ୍ତାହରେ ମଧ୍ୟରେ ଦୁଇଟି ଲଘୁଚାପ । ଆସନ୍ତା ୭ତାରିଖରେ ଗୋଟିଏ ଲଘୁଚାପ ସୃଷ୍ଟି ହେବାକୁ ଥିବା ବେଳେ ୧୫ କିମ୍ବା ୧୬ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ପାଣିପାଗ କେନ୍ଦ୍ରର ପୂର୍ବାନୁମାନ । ବର୍ତ୍ତମାନ ରାଜ୍ୟରେ ବଡ଼ ବର୍ଷା ସମ୍ଭାବନା ନାହିଁ। କିନ୍ତୁ ପ୍ରତିଦିନ କିଛି କିଛି ସ୍ଥାନରେ ହାଲୁକାରୁ ସ୍ୱଳ୍ପ ବର୍ଷା ହୋଇପାରେ। ୫ ତାରିଖରୁ କିଛି ମାତ୍ରାରେ ବଢ଼ିପାରେ ବର୍ଷାର ପରିମାଣ। ୬ ତାରିଖରେ କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଜି ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିଛି। କାଁ ଭାଁ କେଉଁଠି ହେଉଛି ଝିପିଝିପି ବର୍ଷା। ସେପଟେ ମୌସୁମୀ ସିଜିନରେ ଏଯାଏ ରାଜ୍ୟରେ ୨୬ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି।ମାଲକାନଗିରି ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଥିବା ବେଳେ ୧୧ ଜିଲ୍ଲାରେ ବର୍ଷା ପରିମାଣ ସ୍ୱାଭାବିକ ରହିଛି। ମୟୂରଭଞ୍ଜ ଜିଲ୍ଲାରେ ସବୁଠୁ କମ୍ ବର୍ଷା ହୋଇଥିବା ବେଳେ ୧୭ ଜିଲ୍ଲାରେ ନିଅଣ୍ଟିଆ ବୃଷ୍ଟିପାତ ରେକର୍ଡ କରିଛି ପାଣିପାଗ ବିଭାଗ।