ରାଇରଙ୍ଗପୁରରେ ବାମନଘାଟୀ ଛଉ ନୃତ୍ୟ ପ୍ରତିଷ୍ଠାନ ଆନୁକୁଲ୍ୟରେ ୪୨ ତମ ଛଉ ନୃତ୍ୟ ପ୍ରତିଯୋଗିତା ଓ ବାର୍ଷିକ ଉତ୍ସବ ଶୁଭ ଉଦଘାଟିତ
ରାଇରଙ୍ଗପୁର -: ପ୍ରତିବର୍ଷ ପରି ଚୈତ୍ର ପର୍ବ ଉପଲକ୍ଷେ ରାଇରଙ୍ଗପୁର ବସଷ୍ଟାଣ୍ଡ ନିକଟ ବାମନଘାଟୀ ଛଉ ନୃତ୍ୟ ଭବନରେ ଏପ୍ରିଲ ୨,୩,୪ ତାରିଖ ୩ ଦିନ ଧରି ବାମନଘାଟୀ ଉପଖଣ୍ଡ ସ୍ତରୀୟ ୪୨ ତମ ଛଉ ନୃତ୍ୟ ପ୍ରତିଯୋଗିତା ଓ ବାର୍ଷିକ ଉତ୍ସବର ଶୁଭାରମ୍ଭ ବୁଧବାର ସଂନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି ।
ଉତ୍ସବ ପ୍ରାରମ୍ଭରେ ପୂଜକଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯାଇଥିଲା । ବାମନଘାଟୀ ଛଉ ନୃତ୍ୟ ପ୍ରତିଷ୍ଠାନ, ରାଇରଙ୍ଗପୁର ର ସଂପାଦକ ଦୁଷ୍ମନ୍ତ ବସା, ଦ୍ବାରିକାନାଥ ମହାନ୍ତ, ରାଜ କାପୁର ମହାନ୍ତ, ମହେଶ୍ଵର ମହାନ୍ତ, ଜୀବନ ପାତ୍ର, ବିଭୂତି ଭୂଷଣ ମହାନ୍ତ, ପୂର୍ଣ୍ଣ ମହାନ୍ତଙ୍କ ସମେତ ଅନ୍ୟ ସଦସ୍ୟ ବୃନ୍ଦ ଉପସ୍ଥିତ ଥିଲେ । ପରେ ସାରଳା ପୁରସ୍କାର ପ୍ରାପ୍ତ ବିଶିଷ୍ଟ ଝୁମର ସମ୍ରାଟ ସ୍ଵର୍ଗତ ଗିରିଶ ଚନ୍ଦ୍ର ମହାନ୍ତଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଦିଆଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଇରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀ ସୌମ୍ୟରଂଜନ ପ୍ରଧାନ ଯୋଗଦେଇ ଛଉ ନୃତ୍ୟ ସାରା ବିଶ୍ଵରେ ଏକ ନିଆରା ପରିଚୟ ସୃଷ୍ଟି କରିଛି ସେ ସମ୍ପର୍କରେ କହିଥିଲେ । ଆର୍ଥିକ ଅଭାବ ସତ୍ବେ ଛଉ ଗୁରୁ ଓ କଳାକାର ମାନେ କଠିନ ପରିଶ୍ରମ ଓ ଅଭାବକୁ ହେୟ କରି ଛଉ ନୃତ୍ୟ ଅନୁଷ୍ଠାନକୁ ବଞ୍ଚାଇ ରଖିବା ପାଇଁ ଅହର୍ନିଶି ଚେଷ୍ଟା କରିଛନ୍ତି ସେଥିପାଇଁ ସେମାନଙ୍କୁ ଅନେକେ ସାଧୁବାଦ ଜଣାଇଥିଲେ । ସମସ୍ତ ଆୟୋଜକ, କଳାକାର,ବାଦ୍ୟକାରଙ୍କୁ ଉତ୍ସାହିତ କରିବା ସହ ଉତ୍ସାହର ସହ ଆଗକୁ ବଢିବା ପାଇଁ ପ୍ରେରଣା ଦେଇଥିଲେ । ସହକାରୀ ଜିଲ୍ଲାପାଳ ସୁଧାକାର ସେଠୀ ମଧ୍ୟ କାର୍ଯ୍ୟକ୍ରମ ଶୁଭାରମ୍ଭ ପାଇଁ ବଧାଇ ଜଣାଇଥିଲେ ।
ଏହି କାର୍ଯ୍ୟକ୍ରମରେ ସମୁଦାୟ ୩୨ ଟି ନୃତ୍ୟ ଦଳ ମଧ୍ୟରୁ ପ୍ରଥମ ଦିନ ୧୭ ଟି ନୃତ୍ୟ ଦଳ ଅଂଶ ଗ୍ରହଣ କରି କଳା ନୈପୁଣ୍ୟର ପ୍ରଦର୍ଶନ ସହ ଦର୍ଶକଙ୍କ ମନ ଜିଣିଥିଲେ । ଗୁରୁବାର ୧୫ ଟି ଦଳ ଅଂଶ ଗ୍ରହଣ କରିବାକୁ ଥିବା ବେଳେ । ଶୁକ୍ରବାର ଛଉ ନୃତ୍ୟ ଦଳଙ୍କୁ ପୁରସ୍କୃତ କରାଯିବାସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ସମ୍ପାଦକ ଦୁଷ୍ମନ୍ତ ବସା ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଏହି ଉପଖଣ୍ଡ ସ୍ତରୀୟ ପ୍ରତିଯୋଗିତା ରେ ୫ ଟି ଶ୍ରେଷ୍ଠ ଦଳକୁ ବାରିପଦା ଛଉ ପଡିଆରେ ଜିଲ୍ଲା ସ୍ତରୀୟ ଛଉ ନୃତ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ସୁଯୋଗ ଦିଆଯିବ ।