ଦୂର୍ବୁତ୍ତଙ୍କ ଟାର୍ଗେଟରେ ଏବେ ମଠ ମନ୍ଦିର। ପ୍ରତ୍ୟେକ ଦିନ ମନ୍ଦିରରୁ ଲୁଟ ହେଉଥିବାର ଖବର ସାମନାକୁ ଆସୁଥିବା ବେଳେ ଆଜି କାମାକ୍ଷାନଗର ଏନଏସି ନୂଆ ରେକୁଳା ସ୍ଥିତ ମାଆ ମଙ୍ଗଳାଙ୍କ ମନ୍ଦିର ଓ ମହୁଲପାଳ ସ୍ଥିତ ମହାମାୟି ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଓ ରୁପାର ଅଳଙ୍କାର ଲୁଟ ହୋଇଛି। ମଙ୍ଗଳା ମନ୍ଦିର ହୁଣ୍ଡିରେ ଥିବା ୨୦ହଜାର ଟଙ୍କା ଲୁଟ ହୋଇଥିବା ଦେଖିବାକୁ ମିଳିଛି। ପ୍ରାୟ ୬ରୁ ୭ଲକ୍ଷ ଟଙ୍କାର ସୁନା ଓ ରୁପାର ଅଳଙ୍କାର ଲୁଟ ହୋଇଥିବାର ଅନୁମାନ କରାଯାଉଛି।

ଗତକାଲି ବିଳମ୍ବିତ ରାତିରେ ୨ଜଣ ଦୂର୍ବୁତ୍ତ ମୁହଁରେ କପଡା ଘୋଡାଇ ମନ୍ଦିର ଭିତରକୁ ପ୍ରବେଶ କରି ମନ୍ଦିରର କବାଟକୁ କାଟି ସମସ୍ତ ଅଳଙ୍କାର ଲୁଟ କରିନେଇଛନ୍ତି। ଆଜି ସକାଳୁ ମନ୍ଦିରର ପୂଜକ ମନ୍ଦିରକୁ ଆସିବା ପରେ ସମସ୍ତ ଘଟଣା ଜଣାପଡିଥିଲା। ମାଆଙ୍କର ସୁନାର କାନଫୁଲ, ମଙ୍ଗଳସୂତ୍ର, ନାକଚଣା, ହାର, ଆଖି ପତା, ଚିତା, ଆଖିର ଭୂଲତା ଓ ରୂପାର ୪ଟି ମୁକୁଟ, ଅଣ୍ଟା ସୂତା, କାନଫୁଲ, ହାର ଆଦି ଲୁଟ ହୋଇଛି।

ସେହିପରି ମହାମାୟି ମନ୍ଦିରରୁ ରୂପାର ମୁକୁଟ,ପାଉଁଚି,ସୁନାର ଚେନ ଆଦି ଚୋରି ହୋଇଛି। ତେବେ ଏନେଇ ଗ୍ରାମବାସୀଙ୍କ ତରଫରୁ କାମାକ୍ଷାନଗର ଥାନାରେ ଲିଖିତ ଅଭିଯୋଗ ହୋଇଛି। ସପ୍ତାହରେ ମଧ୍ୟରେ କାମାକ୍ଷାନଗରରେ ଏହା ଚତୁର୍ଥ ମନ୍ଦିର ଚୋରି ହୋଇଛି। ପୂର୍ବରୁ ମାଳପୂରା ରାମ ମନ୍ଦିର ଓ ଅନନ୍ତପୂରର ରାଧାକୃଷ୍ଣ ମନ୍ଦିରରୁ ମଧ୍ୟ ସମାନ ଢଙ୍ଗରେ ଲୁଟ ହୋଇଥିଲା। ବାରମ୍ବାର ମନ୍ଦିର ଚୋରି ହେଉଥିବାରୁ ସ୍ଥାନିୟ ବାସିନ୍ଦାଙ୍କ ମହଲରେ ତିବ୍ର ଅସନ୍ତୋଷ ଦେଖାଦେଇଛି। ସହରରେ ପୋଲିସ ପେଟ୍ରୋଲିଙ୍ଗ ହେଉନଥିବାରୁ ଦୂର୍ବରୁତ୍ତମାନେ ଏଭଳି ଭାବରେ ଲୁଟ କରୁଥିବାର ଜଣାପଡିଛି।