ଭୁବନେଶ୍ୱର:- ଦୁଷ୍କର୍ମ ଅଭିଯୋଗରେ ଗିରଫ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କୁ ପଦ ଓ ଦଳରୁ ନିଲମ୍ବନ କରାଯାଇଛି। ତାଙ୍କୁ ପଦରୁ ନିଲମ୍ବନ କରିଛନ୍ତି ଜାତୀୟ ଯୁବ କଂଗ୍ରେସ ସଭାପତି ବରୁଣ ଚୌଧୁରୀ। ଦୁଷ୍କର୍ମ ଅଭିଯୋଗରେ ଗିରଫ ପରେ ଉଦିତଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ସୂଚନାଯୋଗ୍ୟ, ଜଣେ ୧୯ ବର୍ଷୀୟା ଛାତ୍ରୀଙ୍କୁ ମୃଦୁ ପାନୀୟରେ ନିଶା ଦେଇ ବଳାତ୍କାର କରିବା ଅଭିଯୋଗରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କୁ ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ପୋଲିସ ରବିବାର ରାତିରେ ଗିରଫ କରିଛି। ଉଦିତଙ୍କୁ ସୋମବାର କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଅଭିଯୋଗ ଅନୁଯାୟୀ, ପୀଡ଼ିତା ହେଉଛନ୍ତି ଚନ୍ଦକା ଥାନା ଅଞ୍ଚଳର। ଘଟଣା ଦିନ ସନ୍ଧ୍ୟାରେ ତାଙ୍କ ବନ୍ଧୁ ଆୟୁଷ୍ମାନ ସାହୁ ତାଙ୍କୁ ଓ ଜଣେ ମହିଳା ସାଙ୍ଗଙ୍କୁ ବୁଲିଯିବାକୁ କହି ମାଷ୍ଟରକ୍ୟାଣ୍ଟିନ୍ ଛକକୁ ନେଇଯାଇଥିଲେ। ସେଠାରେ ଜଣେ ଯୁବକ ଆସି ତାଙ୍କ ଗାଡ଼ିରେ ବସିଥିଲେ। ତାଙ୍କ ନାମ ଉଦିତ ପ୍ରଧାନ ଓ ସେ ଛାତ୍ର କଂଗ୍ରେସ ସଭାପତି ବୋଲି ସେ ଜାଣିବାକୁ ପାଇଥିଲେ। ପୀଡ଼ିତାଙ୍କ ନିକଟରେ ଉଦିତ ବସିବାସହ ତାଙ୍କୁ ଛୁଇଁବାକୁ ଉଦ୍ୟମ କରିଥିଲେ। ପରେ ସମସ୍ତେ ମଞ୍ଚେଶ୍ୱର ଥାନା ଅଞ୍ଚଳର ଏକ ହୋଟେଲକୁ ଯାଇଥିଲେ। ସେଠାରେ ଉଦିତ ଓ ଅନ୍ୟମାନେ ମଦ୍ୟପାନ କରିଥିଲେ। ଉଦିତ ତାଙ୍କୁ ମୃଦୁ ପାନୀୟରେ ନିଶା ଦ୍ରବ୍ୟ ମିଶାଇ ପିଇବାକୁ ଦେବା ପରେ ତାଙ୍କ ମୁଣ୍ଡ ବୁଲେଇଥିଲା। ସେ ଘରକୁ ଯିବାକୁ ଚେଷ୍ଟା କରିବାରୁ ଉଦିତ ଓ ଅନ୍ୟମାନେ ତାଙ୍କୁ ଛାଡ଼ି ନ ଥିଲେ। ତାଙ୍କୁ ନିଶା ହୋଇଯିବା ପରେ ଉଦିତ ତାଙ୍କୁ ବଳାତ୍କାର କରିଥିଲେ। ପ୍ରାୟ ୩୦ମିନିଟ ପରେ ତାଙ୍କ ଆଖି ଖୋଲିବାରୁ ଏ ବିଷୟରେ ସେ ଜାଣିପାରିଥିଲେ। ଉଦିତ ତାଙ୍କୁ ଧମକ ଦେବାରୁ ସେ ଚୁପ ରହିଥିଲେ। ତେବେ ବର୍ତ୍ତମାନ ପରିସ୍ଥିତିରେ ନାରୀଙ୍କୁ ନ୍ୟାୟ ଦେବା ଅଭିଯାନ ଚାଲିଥିବା ବେଳେ ପୀଡ଼ିତା ସାହସ କରି ଏତଲା ଦେଇଛନ୍ତି ବୋଲି ଜଣାଇଛନ୍ତି। ରବିବାର ରାତି ୮ଟା ୩୦ରେ ଅଭିଯୋଗ ପାଇ ପୋଲିସ ମାମଲା ରୁଜୁ କରିବା ସହ ଉଦିତଙ୍କୁ ଉଠାଇ ଆଣିଥିଲା। ତେବେ ଘଟଣା ଦିନ ହୋଟେଲରେ ଉପସ୍ଥିତ ଥିବା ଅନ୍ୟମାନଙ୍କୁ ମଧ୍ୟ ମାମଲାର ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।