ଅପାରଗ ଅଧିକାରୀଙ୍କ ତଥ୍ୟ ମାଗିଲେ ରାଜ୍ୟ ସରକାର

ଭୁବନେଶ୍ୱର:- ସରକରାଙ୍କ ନିୟମ ଅନୁଯାୟୀ ଯେଉଁମାନେ କାର୍ଯ୍ୟ କରୁନାହାଁନ୍ତି ତଥା ଅପାରଗ ବୋଲି ବିବେଚିତ ହେବେ ସେମାନଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯିବ। ଅଧିକାରୀ ଏବଂ କର୍ମଚାରୀଙ୍କ କାର୍ଯ୍ୟଶୈଳୀର ଟିକିନିଖି ସମୀକ୍ଷା କରାଯିବ।  ନେଇ ସମସ୍ତ ବିଭାଗୀୟ ମୁଖ୍ୟଙ୍କୁ ଶାସନ ସଚିବଙ୍କ କାର୍ଯ୍ୟାଳୟରୁ କରାଯାଇଛି ଚିଠି । କେଉଁ ବିଭାଗରେ କେତେ ଅପାରଗ ଅଧିକାରୀ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରୁ କେତେ ଜଣଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଛି ତାହାର ତଥ୍ୟ ମାଗିଲେ ରାଜ୍ୟ ସରକାର । ୭ ତାରିଖ ସୁଦ୍ଧା ସମସ୍ତ ସଥ୍ୟ ସରକାରଙ୍କୁ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସାଧାରଣ ପ୍ରଶାସନ ବିଭାଗର ୨୦୧୯ ସେପ୍ଟେମ୍ବର ୨୪ରେ ସର୍କୁଲାର ଅନୁଯାୟୀ, ସଂପୃକ୍ତ ଅପରାଗ ଅଧିକାରୀଙ୍କୁ ଚାକିରିରୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯିବ।

ସେହିପରି ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଚାକିରିଆଙ୍କ ଅବସରଦିନ ପୂର୍ଣ୍ଣାଙ୍ଗ ପେନ୍‌ସନ ପ୍ରଦାନ କରାଯିବାକୁ କୁହାଯାଇଥିଲା। ତେଣୁ ସମ୍ପୃକ୍ତ ବିଭାଗରେ କେତେଜଣ ଚାକିରିଆ କେଉଁ ମାସରେ ଅବସର ନେଇଛନ୍ତି ଏବଂ କେତେଜଣଙ୍କୁ ବାସ୍ତବରେ ତାଙ୍କର ପେନ୍‌ସନ ପ୍ରମାଣପତ୍ର ପ୍ରଦାନ କରାଯାଇଛି ତା’ର ବିବରଣୀ ନିର୍ଦ୍ଦିଷ୍ଟ ଫର୍ମାଟରେ ଦେବାକୁ ହେବ ।

ଏହାସହିତ ସରକାରଙ୍କ ପକ୍ଷରୁ ବିଭାଗୀୟ ସଚିବଙ୍କ ସହିତ ବରିଷ୍ଠ ଅଧିକାରୀଙ୍କୁ କ୍ଷେତ୍ର ପରିଦର୍ଶନ କରିବାପାଇଁ କୁହାଯାଇଥିଲା । ଏହାକୁ ନେଇ କେଉଁ ଅଧିକାରୀ କେଉଁ ତାରିଖରେ କେଉଁ ସ୍ଥାନକୁ ଗନ୍ତବ୍ୟ କରିଛନ୍ତି ଏବଂ ତୃଣମୂଳସ୍ତରରେ ସରକାରଙ୍କ ଯୋଜନା କାର୍ଯ୍ୟକାରିତା ସମ୍ପର୍କରେ କ’ଣ ତଥ୍ୟ ରହିଛି ତାହା ଜଣାଇବାକୁ ପତ୍ରରେ ଉଲ୍ଲେଖ ରହିଛି । ଏହାସହିତ କର୍ମଚାରୀଙ୍କ ଉପସ୍ଥାନ, ବିଭାଗଓ୍ବାରି କେତେ ପଦ ଖାଲି ରହିଛି ଭଳି ବିଭିନ୍ନ ଦିଗ ଉପରେ ହୋଇଥିବା ଆଲୋଚନାକୁ ନେଇ ବିବରଣୀ ପ୍ରଦାନ କରିବାକୁ ଓଏସ୍‌ଡି ପତ୍ରରେ ଦର୍ଶାଇଛନ୍ତି ।